Report Card Odisha

| Daily Odia News

ପାକିସ୍ତାନରେ ଗଲାଣି ୨୦ ଜୀବନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି | ପ୍ରତିକୂଳ ପରିସ୍ଥିତିରେ ଖାଇବା ଯୋଗାଡ଼ କରିବା ଲୋକମାନଙ୍କ ପାଇଁ କଷ୍ଟକର ‌ହୋଇପଡ଼ିଛି। ବିଶେଷ କରି ଗରିବ ବର୍ଗର ଲୋକମାନେ ସବୁଠୁ ଅସୁବିଧାରେ ରହିଛନ୍ତି। ନିଜ ପାଇଁ ଦୁଇମୁଠା ଖାଇବା ଯୋଗାଡ଼ କରିବା ଲାଗି ସେମାନଙ୍କୁ ନିଜ ଜୀବନ ବାଜିରେ ଲଗାଇବାକୁ ପଡ଼ୁଛି। ମୁଠାଏ ଅଟା ପାଇବା ଲାଗି ଭିଡ଼ ଭିତରେ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଦେଶର ବିଭିନ୍ନ ସ୍ଥାନରେ ଅଟା ପାଇବା ଲାଗି ଭିଡ଼ରେ ଠେଲାପେଲା ଯୋଗୁ ବହୁ ଲୋକ ଆହତ ହୋଇଥିବା ବେଳେ ୨୦ ଜଣଙ୍କ ଜୀବନ ଯାଇଛି। ସେମାନେ ସମେସ୍ତ ହେଉଛନ୍ତି ମହିଳା ଓ ଶିଶୁ। ଖାଦ୍ୟ ଯୋଗାଡ଼ କରିବା ଲାଗି ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ କିଛି ସ୍ଥାନରେ ପୁଲିସକୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବାକ ପଡ଼ିଛି। ପାକିସ୍ତାନର ଅବସ୍ଥା ଖରାପରୁ ଆହୁରି ଦୟନୀୟ ହେବାରେ ଲାଗିଛି। ‌ସରକାରଙ୍କ ପାଖରେ ନାମକୁ ମାତ୍ର ବିଦେଶୀ ମୁଦ୍ରା ରହିଛି। ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ମୂଲ୍ୟ ୨୮୭ ଟଙ୍କା ୨୯ ପଇସା ହୋଇଗଲାଣି। ମୁଦ୍ରାସ୍ଫୀତି ହାର ୫୮ ବର୍ଷର ସର୍ବୋଚ୍ଚ ସ୍ତର ରେକର୍ଡ ୩୫%ରେ ପହଞ୍ଚିଛି। ମାର୍ଚ୍ଚ ମାସରେ ଖାଦ୍ୟ ମୂଲ୍ୟରେ ୫୦% ଭଳି ବୃଦ୍ଧି ହୋଇଛି। ସରକାର ଚେତାବନୀ ଦେଇ କହିଛନ୍ତି ଯେ ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ଗରିବ ଲୋକଙ୍କୁ ସାହାଯ୍ୟ କରିବା ଲାଗି ଯେଉଁମାନେ ଦାନ କରୁଥିଲେ ସେମାନେ ସେଠାରେ ସଂଘର୍ଷ କରୁଛନ୍ତି। ଯେଉଁମାନେ ଅଳ୍ପ ରାଶି ଦାନ ଦେଉଥିଲେ ସେମାନେ ଦାନ ଦେବା ବନ୍ଦ କରିଦେଇଥିବା ବେଳେ ଯେଉଁମାନେ ବଡ଼ ରାଶି ଦେଉଥିଲେ ସେମାନେ ଦାନରାଶି ପରିମାଣ ହ୍ରାସ କରିଛନ୍ତି। ଚଳିତ ବର୍ଷ ଦାନରାଶି ୫୦% ହ୍ରାସ ପାଇଥିବା ବେଳେ ସହାୟତା ଚାହୁଥିବା ଲୋକଙ୍କ ସଂଖ୍ୟା ୫୦% ବଢ଼ିଛି। ପେଟ୍ରୋଲ୍ ଓ ଡିଜେଲ୍‌ ମହଙ୍ଗା ହେବା ପରେ ଦାତବ୍ୟ କାର୍ଯ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଲୋକମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି। ପାକିସ୍ତାନରେ ଏବେ ଦୁର୍ଭିକ୍ଷ ଭଳି ସ୍ଥିତି। ୨୨ କୋଟି ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନ ଏବେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିକୁ ଅପେକ୍ଷା କରିରହିଛି |

Breaking News