ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ନେଇଥିବା କଠୋର ପଦକ୍ଷେପରେ ବିଚଳିତ ପାକିସ୍ତାନୀ ନେତାମାନେ ଭାରତ ବିରୋଧୀ ବିଷୋଦ୍ଗାର ଜାରି ରଖିଛନ୍ତି। ପାକିସ୍ତାନ ମନ୍ତ୍ରୀ ହନିଫ୍ ଅବାସୀଙ୍କ ଅତ୍ୟନ୍ତ ଉତ୍ତେଜନାମୂଳକ ବୟାନ ଏବେ ଚର୍ଚ୍ଚାରେ ରହିଛି। ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ୧୩୦ଟି ପରମାଣୁ ବୋମା ପ୍ରସ୍ତୁତ ରଖିଛି ବୋଲି ଅବାସୀ କହିଛନ୍ତି। ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ର ସମେତ ଘୋରି, ଶାହିନ ଓ ଗଜନବୀ ଭଳି ଅତି ଶକ୍ତିଶାଳୀ କ୍ଷେପଣାସ୍ତ୍ର ଭାରତ ବିରୋଧରେ ପ୍ରସ୍ତୁତ ରଖାଯାଇଛି ବୋଲି ଅବାସୀ ଚେତାବନୀ ଦେଇଛନ୍ତି। ହନିଫ୍ ଅବାସୀ କହିଛନ୍ତି, ଯଦି ଭାରତ ଆମର ଜଳ ଯୋଗାଣ ବନ୍ଦ କରିଦିଏ, ତା’ହେଲେ ଏହା ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଉଚିତ। ଆମ ପାଖରେ ଥିବା କ୍ଷେପଣାସ୍ତ୍ର ଏବଂ ସାମରିକ ଉପକରଣ କେବଳ ପ୍ରଦର୍ଶନ ପାଇଁ ରଖାଯାଇନାହିଁ। ଦେଶର କେଉଁ କୋଣରେ ଆମେ ପରମାଣୁ ଅସ୍ତ୍ର ଲୁଚାଇ ରଖିଛୁ ତାହା କେହି ଜାଣନ୍ତି ନାହିଁ। ଭାରତକୁ ଟାର୍ଗେଟ୍ କରିବା ପାଇଁ ପାକିସ୍ତାନର ୧୩୦ଟି ପରମାଣୁ ଯୁଦ୍ଧାସ୍ତ୍ର ପ୍ରସ୍ତୁତ ରହିଥିବାରୁ ଭାରତ ବହୁତ ଚିନ୍ତା କରି ପଦକ୍ଷେପ ନେବାକୁ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ଜବାବରେ ଭାରତ ୧୯୬୦ ମସିହାରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ସହ ପାକିସ୍ତାନୀଙ୍କ ସମସ୍ତ ଭିସା ବାତିଲ କରିଛି ଏବଂ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛି। ଏହାର ଜବାବରେ ଅବାସୀ ଭାରତକୁ ଚେତାବନୀ ଦେଇ କହିଛନ୍ତି, ଏହି ନିଷ୍ପତ୍ତିର ଭୟାବହ ପରିଣାମ ଭୋଗିବାକୁ ପଡ଼ିବ। ଯଦି ଆମେ ଆଉ କିଛି ଦିନ ଭାରତୀୟ ବିମାନ ପାଇଁ ଆମ ଆକାଶପଥ ବନ୍ଦ ରଖିବୁ, ତେବେ ଭାରତୀୟ ଏୟାରଲାଇନ୍ସ ଦେବାଳିଆ ହୋଇଯିବ ବୋଲି ସେ କହିଛନ୍ତି। ଭାରତ ଉଠାଇଥିବା ଅର୍ଥନୈତିକ କଟକଣାର ମୁକାବିଲା କରିବାକୁ ପାକିସ୍ତାନ ପ୍ରସ୍ତୁତ ବୋଲି ସେ କହିଛନ୍ତି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..