ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ଵରରେ ଥିବା ମାଛ ମାର୍କେଟଗୁଡ଼ିକର ନୂଆ ରୂପ ବଦଳାଇବା ପାଇଁ ବିଏମ୍ସି ନିଷ୍ପତ୍ତି ନେଇଛି। ପ୍ରଥମ ପର୍ଯ୍ୟାୟରେ ତିନୋଟି ମାଛ ମାର୍କେଟର ନବକଳେବର କରିବାକୁ ବିଏମ୍ସି ପକ୍ଷରୁ ଯୋଜନା କରାଯାଇଥିବା ସୂଚନା ମିଳିଛି । ଡ଼ମଣା ମାଛ ମାର୍କେଟ, ବଡ଼ଗଡ଼ ମାଛ ମାର୍କେଟ ଓ ପଳାଶୁଣୀ ମାଛ ମାର୍କେଟକୁ ନୂଆ ରୂପ ଦେବା ପାଇଁ ବିଏମସିର ଯୋଜନା ରହିଛି। ଏହା ସହିତ ୪ ନମ୍ବର ମାଛ ମାର୍କେଟ୍କୁ ବିଭକ୍ତ କରି ଏଠାକାର ହୋଲସେଲ ମାର୍କେଟକୁ ପଳାଶୁଣୀକୁ ସ୍ଥାନାନ୍ତର କରିବାକୁ ବିଏମସି ଯୋଜନା କରିଛି। ଏଥିପାଇଁ ପୁରୀ ବାଇପାସ୍ ରୋଡ୍ରେ ଏକ ସରକାରୀ ଜାଗା ମଧ୍ୟ ଚିହ୍ନଟ ହୋଇସାରିଛି। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଓ ବିଏମସି ମଧ୍ୟରେ ବୈଠକ ପରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ଘଟଣା ସମ୍ପର୍କରେ ବିଏମସ ଅତିରିକ୍ତ କମିସନ ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି ମାଛ ହାଟଗୁଡ଼ିକର ରୂପ ରେଖ ବଦଳାଇବାକୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ହୋଲସେଲ୍ଫ ଓ ରିଟେଲ୍ ମାର୍କେଟଗୁଡ଼ିକୁ ଅଲଗା କରିବା ପାଇଁ ଏଥିରେ ଯୋଜନା ରହିଛି। ୪ ନମ୍ୱର ମାଛ ମାର୍କେଟର ହୋଲସେଲ ହାଟ ପଳାଶୁଣିକୁ ଉଠାଇ ନେବା ପାଇଁ ସ୍ଥିର କରାଯାଇଥିବା ବେଳେ ୪ ନମ୍ବରରୁ କେବେଳ ଖୁଚୁରା ମାଛ ବିକ୍ରି କରାଯିବ ବୋଲି ସେ କହିଛନ୍ତି। ଲୋକେ କେମିତି ସହଜରେ ମାଛ କିଣି ପାରିବେ ସେଥି ପ୍ରତି ଦୃଷ୍ଟି ଦିଆଯାଉଛି। ଉପରୋକ୍ତ ୩ ଟି ମାର୍କେଟ ସହିତ ୟୁନିଟ-୪ ମୁଖ୍ୟ ମାଛ ମାର୍କେଟର ବି ରୂପ ବଦଳିବ। ବହୁତଳ ବିଶିଷ୍ଟ ମାଛ ମାର୍କେଟ ସାଙ୍ଗକୁ ଏଠାରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ରହିବ। ଗୋଟିଏ କୋଠାରେ ଆମିଷ ବଜାର ରହିବ। ବର୍ତ୍ତମାନ ଏଠାରେ ୩୯ଟି ଗୋଦାମ ରହିଥିବା ବେଳେ ହାଟ ବାହାରେ ଅନେକ ବ୍ୟବସାୟୀ ବସୁଛନ୍ତି। ଫଳରେ ରାସ୍ତାରେ ଅଳିଆ ଆବର୍ଜନା ସହିତ ଅପରିଷ୍କାର ପାଣି ଲହଡ଼ି ଖେଳୁଛି। ଅଥିପାଇଁ ଏହି ମାର୍କେଟର ରୂପ ନିହାତି ବଦଳିବା ଦରକାର ବୋଲି ମାଛ ବ୍ୟବସାୟୀ ସଙ୍ଘ କହିଛି। ମାଛ ମାର୍କେଟ୍ଗୁଡ଼ିକରେ ଅତ୍ୟାଧୁନିକ ସେବା ସାଙ୍ଗକୁ ପାଣି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ। ଏହା ସାଙ୍ଗକୁ ମାର୍କେଟ୍ ଭିତରୁ ନାଳ ବ୍ୟବସ୍ଥା କରାଯାଇ ଅପରିଷ୍କାର ଜଳ ନିଷ୍କାସିତ କରାଯିବ। ସେହିପରି ମାର୍କେଟ୍କୁ ଆସୁଥିବା ଗ୍ରାହକମାନେ ଯେମିତି ପାର୍କିଂ ପାଇଁ କୌଣସି ସମସ୍ୟା ନ ଭୋଗନ୍ତି ସେନେଇ ପାର୍କିଂ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ୀ କରଣ କରାଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ମିଳିଛି।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..