ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ବିଜେପି ସରକାର ଓଡ଼ିଆ ଭାଷାରେ ସରକାରୀ ନଥିପତ୍ର କାର୍ଯ୍ୟ କରିବା ପାଇଁ କଡ଼ା ଆଭିମୁଖ୍ୟ ପୋଷଣ କରିବାପରେ ଏବେ ସରକାରୀସ୍ତରରେ ତତ୍ପରତା ଦେଖାଦେଇଛି । ଏଣିକି ଥାନା, ଗ୍ରାମପଂଚାୟତ, ପଂଚାୟତ ସମିତି(ବ୍ଲକ), ଜିଲ୍ଲା ପରିଷଦ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାରେ ନଥିପତ୍ର(ଫାଇଲ) କାର୍ଯ୍ୟ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ପଂଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ସେହିପରି ରାଜ୍ୟ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ମଧ୍ୟ ସମସ୍ତ ପୋଲିସ ଏସପି ଓ ପୋଲିସ ପ୍ରତିଷ୍ଠାନର ମୁଖ୍ୟଙ୍କୁ ସରକାରୀ ନଥିକାର୍ଯ୍ୟ ଓଡ଼ିଆ ଭାଷାରେ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ରାଜ୍ୟ ପଂଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀ ଜୁଲାଇ ୩୧ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସମସ୍ତ ନଥି କାର୍ଯ୍ୟ ଓଡ଼ିଆରେ ସମ୍ପାଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ଜ୍ଞାନକୌଶଳ ପ୍ରୟୋଗ କରାଯିବ । ତେଣୁ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ତ ସମସ୍ତ ପଂଚାୟତ, ପଂଚାୟତ ସମିତି, ଜିଲ୍ଲା ପରିଷଦ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଶ୍ରୀ ଲୋହାନୀ ଜିଲ୍ଲାପାଳମାନଙ୍କୁ କହିଛନ୍ତି । ଏହାକୁ ଅତ୍ୟନ୍ତ ଜୁରୀ ବୋଲି ବିବେଚନା କରିବାକୁ ମଧ୍ୟ କହିଛନ୍ତି । ସେହିପରି ଗତକାଲି ଓଡ଼ିଶା ପୋଲିସ ମୁଖ୍ୟାଳୟର ଅତିରିକ୍ତ ଡିଜି ଆର.କେ.ଶର୍ମା ସମସ୍ତ ପୋଲିସ ଜିଲ୍ଲା ଏସପି ଓ ପୋଲିସ ପ୍ରତିଷ୍ଠାନ ମୁଖ୍ୟଙ୍କୁ ଚିଠି ଲେଖି ଏଣିକି ସମସ୍ତ ସରକାରୀ ନଥି କାର୍ଯ୍ୟ ଓଡ଼ିଆ ଭାଷାରେ ସମ୍ପାଦନ କରି ତତସଂକ୍ରାନ୍ତ ଏକ ଅନୁପାଳନ ରିପୋର୍ଟ ଗୃହ ବିଭାଗକୁ ପଠାଇବାକୁ କହିଛନ୍ତି ।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..