Report Card Odisha

| Daily Odia News

ପଣା ସଂକ୍ରାନ୍ତି ପରେ ଓଡ଼ିଶା ଛାଡ଼ିବେ ପାଣ୍ଡିଆନଙ୍କ ପରିବାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜେଡି ସରକାରରେ ସର୍ବେସର୍ବା ଥିବା ଭିକେ ପାଣ୍ଡିଆନ ଓ ତାଙ୍କ ଆଇଏଏସ୍ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଖୁବଶୀଘ୍ର ଓଡ଼ିଶା ଛାଡ଼ିବେ । ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ସାମିଲ ହୋଇ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ପାଣ୍ଡିଆନ ନିକଟ ଅତୀତରେ ଓଡ଼ିଶା ଛାଡ଼ିବା ନେଇ ସଙ୍କେତ ଦେଇ ସାରିଥିବାବେଳେ ତାଙ୍କ ପତ୍ନୀ ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତାଙ୍କୁ ଚାକିରିରୁ ସ୍ୱେଚ୍ଛାକୃତ ଅବସର(ଭିଆରଏସ) ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୮ତାରିଖରେ ଅନୁମତି ଦେଇଛନ୍ତି । ସୁଜାତାଙ୍କ ଭିଆରଏସ୍ ନେଇ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିବା ଜଣାପଡ଼ିଛି । ଚାକିରିରୁ ସୁଜାତା ଭିଆରଏସ୍ ନେବା ପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ପାଣ୍ଡିଆନ ଦମ୍ପତି ସପରିବାର ପଣାସଂକ୍ରାନ୍ତି ପରେ ଓଡ଼ିଶା ଛାଡ଼ିବେ ବୋଲି ସୂଚନା ମିଳିଛି । ସୁଜାତା ମାର୍ଚ୍ଚ ୧୩ତାରିଖରେ ଭିଆରଏସ୍ ଆବେଦନ କରିବାପରେ ହିଁ ପାଣ୍ଡିଆନ ବିଜେଡିର ନେତାମାନଙ୍କୁ ନବୀନ ନିବାସ ଡାକି ସେ ଓଡ଼ିଶା ଛାଡ଼ୁଥିବାର ସ୍ପଷ୍ଟ ସନ୍ଦେଶ ଦେଇଥିଲେ । ଏପରିକି ବିଜେଡି ପ୍ରତି ତାଙ୍କର ଆଉ ସାମାନ୍ୟତମ ସମ୍ବେଦନ ନାହିଁ ବୋଲି ମଧ୍ୟ କହିବାକୁ ପଛାଇ ନଥିଲେ । ପାଣ୍ଡିଆନଙ୍କ ଏଭଳି ଆଭିମୁଖ୍ୟ ବିଜେଡିରେ ଏବେବି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପାଣ୍ଡିଆନ ସପରିବାର ଓଡ଼ିଶା ଛାଡ଼ିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଠୁ ମଧ୍ୟ ଗ୍ରୀନ୍ ସିଗନାଲ ପାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଉଭୟ ଦମ୍ପତି ପୂର୍ବରୁ ପଞ୍ଜିକୃତ ହୋଇଥିବା ଏକ ଥିଙ୍କଟ୍ୟାଙ୍କ୍ ଫାର୍ମ ସହ ଜଡ଼ିତ ହୋଇ ଲଣ୍ଡନରୁ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି । ପାଣ୍ଡିଆନ ଓ ସୁଜାତାଙ୍କ ଏକମାତ୍ର ଝିଅ ନୟନତାରା ଲଣ୍ଡନରେ ଉଚ୍ଚଶିକ୍ଷା କରିବେ ବୋଲି ସୂଚନା ମିଳିଛି ।

Breaking News