Report Card Odisha

| Daily Odia News

ଆଜିଠାରୁ ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆରମ୍ଭ ହେଉଛି ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏହା ୩୩ତମ ସଂସ୍କରଣ। ୧୯୦୦ରେ ପ୍ୟାରିସରେ ଅଲିମ୍ପିକ୍ସର ୨ୟ ସଂସ୍କରଣ ଅନୁଷ୍ଠିତ ହୋଇଥିବା ବେଳେ ୧୯୨୪ରେ ୨ୟ ଥର ପ୍ୟାରିସ୍ ସହରରେ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇଥିଲା। ଏହାର ଶହେ ବର୍ଷ ପରେ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରୁଛି। ଏଥିରେ ୧୭ ଦିନ ଧରି ୨୦୬ ଦେଶରୁ ପ୍ରାୟ ୧୦,୭୦୦ କ୍ରୀଡ଼ାବିତ୍ ୩୨ଟି କ୍ରୀଡ଼ାରେ ମୋଟ ୩୨୯ଟି ପଦକ ପାଇଁ ପ୍ରତିଯୋଗିତାରେ ମାତିବେ। ମୋଟ ୩୪ଟି କ୍ରୀଡ଼ାଙ୍ଗନରେ ପ୍ରତିଯୋଗିତା ହେବ। ଉଦ୍ଘାଟନ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଭାରତୀୟ ସମୟ ରାତି ୧୧.୩୦ରୁ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଥର ଷ୍ଟାଡିୟମ୍ ବାହାରେ ଉଦ୍ଘାଟନ ଉତ୍ସବ ହେବାକୁ ଯାଉଛି। ପ୍ୟାରିସ୍ ସହର ମଧ୍ୟରେ ଥିବା ସିଏନ୍ ନଦୀରେ ୮୦ରୁ ୧୦୦ ନୌକା ଉପେର କ୍ରୀଡ଼ାବି୍ଙ୍କ ମାର୍ଚ୍ଚପାଷ୍ଟ ହେବ। ଏହି ନୌକାସବୁ ସିଏନ୍ ନଦୀ ଜଳରେ ପ୍ରାୟ ୬ କିଲୋମିଟର ଯାତ୍ରାକରିବେ। ନଦୀର ଉଭୟ ପାର୍ଶ୍ବରେ ହଜାର ହଜାର ଦର୍ଶକ କ୍ରୀଡ଼ାବିତ୍ଙ୍କୁ ସ୍ବାଗତ କରିବେ। ଇଫେଲ୍ ଟାୱର ନିକଟରେ ଏହା ସମ୍ପନ୍ନ ହେବ। ଏଠାରେ ଚମ୍ପିଆନ୍ ପାର୍କରେ ଉଦ୍ଘାଟନୀ ଉତ୍ସବର ଅନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହିଠାରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଅଲିମ୍ପିକ୍ର ଶୁଭାରମ୍ଭ ଘୋଷଣା କରିବେ। ଉଦ୍ଘାଟନୀ ଉତ୍ସବରେ ୩୦୦୦ରୁ ଅଧିକ କଳାକାର ନୃତ୍ୟ ଓ ସଂଗୀତ ପରିବେଷଣ କରିବେ। ଉଦ୍ଘାଟନୀ ଉତ୍ସବରେ ଟିଟି ଖେଳାଳି ଏ. ଶରତ କମଲ ଓ ବ୍ୟାଡ୍ମିଣ୍ଟନ ତାରକା ପି.ଭି. ସିନ୍ଧୁ ଭାରତୀୟ ଧ୍ବଜା ବହନ କରିବେ। ଅଗଷ୍ଟ ୧୧ରେ ଅଲିମ୍ପିକ୍ସ ଉଦ୍ୟାପନ ହେବ। ଏହା ଷ୍ଟାଡ୍ ଡି ଫ୍ରାନ୍ସରେ ଅନୁଷ୍ଠିତ ହେବ।

Breaking News