ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଏସ୍ଏସ୍ସି ସ୍କାମ୍’ ମାମଲାରେ ଆଜି କୋଲ୍କାତା ବାସଭବନରୁ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ଇର୍ଦ୍ଦେଶାଳୟ ଗିରଫ କରଛି | ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଅନିୟମିତତା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଶୁକ୍ରବାର ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍ କରାଯାଇଥିଲା | ରେଡ୍ ବେଳେ ମନ୍ତ୍ରୀ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ କୋଟି ଟଙ୍କା ମିଳିଥିଲା। ରେଡ୍ର ଦିନକରେ ପରେ ଇଡି ପାର୍ଥଙ୍କୁ ଗିରଫ କରିଛି। ସେହିପରି ଆଜି ମଧ୍ୟ ପାର୍ଥଙ୍କ ସମେତ ତାଙ୍କ ସହଯୋଗୀ ଓ ଟିଏମସିର କିଛି ନେତାଙ୍କ ଘରେ ରେଡ ଜାରି ରହିଛି। ଏନେଇ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି |

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି, ଶୁକ୍ରବାର ରାତିରେ ପାର୍ଥଙ୍କୁ ତାଙ୍କ ବାସଭବନରେ ଜେରା କରାଯାଇଥିଲା। ଜେରା ବେଳେ ତଦନ୍ତକାରୀଙ୍କୁ ସହଯୋଗ ନ କରିବା ଫଳରେ ତାଙ୍କୁ ଗିରଫ କରାଯାଇ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟକୁ ନିଆଯାଉଛି। ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ପ୍ରାୟ ୨୬ ଘଣ୍ଟା ଧରି ଜେରା କରିସାରିଲାଣି। ପ୍ରବର୍ତ୍ତନ ନିର୍ଦେଶାଳୟର ୮ଜଣ ଅଧିକାରୀ ମଧ୍ୟ ପାର୍ଥଙ୍କ ଘରେ ତଲାସ ଚଳାଇଛନ୍ତି। ସମ୍ପ୍ରତି ପଶ୍ଚିମବଙ୍ଗ ରାଜ୍ୟର ମମତା ବାନାର୍ଜୀଙ୍କ ସରକାରରେ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ବେଳେ ଶିକ୍ଷାମନ୍ତ୍ରୀ ଥିଲେ। ତାଙ୍କ ସହକାରୀ ଅର୍ପିତାଙ୍କ ଘରୁ ଜବତ ହୋଇଥିବା ନଗଦ ୨୦ କୋଟି ଟଙ୍କା ‘ଏସ୍ଏସ୍ସି’ ଦୁର୍ନୀତିରୁ ଲବ୍ଧ ଅର୍ଥ ବୋଲି ତଦନ୍ତକାରୀ ଏଜେନ୍ସି ଦେଇଥିବା ବିବୃତିରେ କହିଛି। ନଗଦ ଅର୍ଥ ବ୍ୟତିରେକେ ଅର୍ପିତାଙ୍କ ବାସଭବନରୁ ୨୦ରୁ ଊର୍ଦ୍ଧ୍ବ ମୋବାଇଲ୍ ଫୋନ୍ ମଧ୍ୟ ଉଦ୍ଧାର କରାଯାଇଛି। ଚାଟାର୍ଜୀଙ୍କ ବ୍ୟତୀତ, ପ୍ରବର୍ତ୍ତନ ନିର୍ଦେଶାଳୟ ରାଜ୍ୟ ଶିକ୍ଷାମନ୍ତ୍ରୀ ପରେଶ ସି. ଅଧିକାରୀ, ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଏବଂ ଅନ୍ୟମାନଙ୍କ ଘରେ ଚଢ଼ାଉ ଚଳାଇଛି।






More Stories
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..