ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ବାଧୀନତା ଦିବସର ପୂର୍ବଦିନ ଅର୍ଥାତ୍ ଆଜି ଆମ ଦେଶରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ମସିହାରେ ଦେଶ ବିଭାଜନ ବେଳେ ଲକ୍ଷ ଲକ୍ଷ ଦେଶବାସୀଙ୍କର ଦୁଃଖ ଓ ଯନ୍ତ୍ରଣାକୁ ସ୍ମରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା କ୍ରମେ ୨୦୨୧ ମସିହାରୁ ପ୍ରତି ବର୍ଷ ଅଗଷ୍ଟ ୧୪ ତାରିଖରେ ଏହି ଦିବସ ପାଳନ କରାଯାଉଛି। ଉଲ୍ଲେଖଯୋଗ୍ୟ, ବ୍ରିଟିସ ଶାସନାଧୀନ ଭାରତର ବିଭାଜନ ଘଟି ଭାରତ ଓ ପାକିସ୍ତାନ ପରି ଦୁଇଟି ସ୍ବତନ୍ତ୍ର ଦେଶ ଗଠିତ ହୋଇଥିଲା। ଦୁଇ ନୂଆ ଦେଶରେ ସଂଘଟିତ ହିଂସାରେ ପ୍ରାୟ ୧୦ରୁ ୨୦ ନିୟୁତ ଲୋକ ବିସ୍ଥାପିତ ହୋଇଥିଲେ ଏବଂ ୨ ଲକ୍ଷରୁ ୨୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ତାହା ଦେଶବାସୀଙ୍କ ପାଇଁ ସ୍ବାଧୀନତା ସଂଗ୍ରାମଠୁ ବି ଅଧିକଯନ୍ତ୍ରଣାଦାୟକ ଥିଲା। ଅଗଣିତ ଲୋକଙ୍କୁ ନିଜର ଭିଟାମାଟି ଛାଡ଼ି ନିଜ ଦେଶରେ ଶରଣାର୍ଥୀ ଭାବରେ ରହିବାକୁ ପଡ଼ିଲା। ବିଭାଜନର ଏତେ ଦିନ ପରେ ବି ନିଜର ଆତ୍ମୀୟ ସ୍ବଜନଙ୍କୁ ହରାଇଥିବା ଦେଶବାସୀଙ୍କ ପୀଡ଼ା ଉଜ୍ଜୀବିତ ହୋଇ ରହିଛି। କିଛି ସ୍ବାର୍ଥାନ୍ବେଷୀମାନଙ୍କ ଯୋଗୁଁ ଦେଶର ସ୍ବାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ସହିଦମାନଙ୍କ ଅଖଣ୍ଡ ଭାରତର ସ୍ବପ୍ନ ପୂରଣ ହୋଇପାରିଲା ନାହିଁ। ସେମାନଙ୍କୁ ଏବଂ ବିଭାଜନର ଶିକାର ହୋଇଥିବା ଦେଶବାସୀଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଏହି ଦିବସ ପାଳନ କରାଯାଉଛି। ଏହା ଆମ ମନରୁ ସାମାଜିକ ବିଭାଜନର ବିଷକୁ ହଟାଇ ଐକ୍ୟ, ସାମାଜିକ ସୌହାର୍ଦ୍ଦ୍ୟ ଓ ମାନବ ସଶକ୍ତୀକରଣର ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଲାଗି ଚେତାଇ ଦେଇଥାଏ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..