ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରୀ କର୍ମଚାରୀ ଚାକିରିରୁ ଅବସର ଦିନ ହିଁ ପେନସନ ପାଇବାର ବ୍ୟବସ୍ଥା ଥିବା ସତ୍ତ୍ୱେ ହଜାର ହଜାର କର୍ମଚାରୀ ନିଜର ପେନସନ୍ ପାଇ ଦୀର୍ଘଦିନ ଅପେକ୍ଷା କରିବାକୁ ନେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କଡ଼ା ତାଗିଦ୍ କରିବା ପରେ ଏବେ ବିଭାଗଗୁଡ଼ିକର ଚେତା ପଶିଛି । ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ପେନସନ୍ ସେଲ୍ ଖୋଲି ନିର୍ଦ୍ଧାରିତ ଅବଧିରେ ପେନସନ୍ ପ୍ରଦାନ ସହ ଏହାର ମାସିକ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମଧ୍ୟ ଅନୁରୂପ ନିର୍ଦ୍ଦେଶନାମା ଜାରି କରିଛି । ୨୦୧୫ ମସିହା ପୂର୍ବରୁ ବାକି ଥିବା ସମସ୍ତ ପେନସନ୍ ମାମଲାର ଫଇସଲା ଜୁଲାଇମାସ ଶେଷ ସୁଦ୍ଧା କରିବା ଏବଂ ୨୦୧୬ରୁ ୨୦୨୦ ମସିହା ମଧ୍ୟରେ ବାକି ଥିବା ପେନସନ୍ ମାମଲାର ଫଇସଲା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା କରିବାକୁ ବୋର୍ଡ ଅଫ ରେଭନ୍ୟୁ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରିଛି ।ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଗତ ୧୩ତାରିଖରେ ଉକ୍ତ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସମସ୍ତ ପ୍ରତିଷ୍ଠାନର ମୁଖ୍ୟଙ୍କୁ ଚିଠି ଲେଖି ସବୁ ବକେୟା ପେନସନ୍ ମାମଲାର ଫଇସଲା ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି । ଚାକିରି ନିୟମିତ ହୋଇନଥିବା ଓ ମୁଖ୍ୟ କାର୍ଯ୍ୟାଳୟରେ ପେନସନ୍ ପେପର ଦାଖଲ ହୋଇନଥିବା ଯୋଗୁ ବହୁ ସଂଖ୍ୟାରେ ପେନସନ୍ ମାମଲା ପଡ଼ି ରହିଛି ବୋଲି ବିଭାଗର ଦୃଷ୍ଟିକୁ ଆସିଛି ।






More Stories
ମାଟ୍ରିକ ପରୀକ୍ଷା ପାଇଁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ….
ଆଜି ସୂର୍ଯ୍ୟୋପରାଗ…..
୮ରେ ସୁଭଦ୍ରା କିସ୍ତି…..