ରିପୋର୍ଟ କାର୍ଡ / ଭୁବନେଶ୍ବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ୨୦୨୫-୨୬ ଆର୍ଥିକବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି | ଯାହାକି ୨୦୨୪-୨୫ ଆର୍ଥିକବର୍ଷର ବଜେଟ ପରିମାଣ ୨.୬୫ ଲକ୍ଷ କୋଟି ଟଙ୍କା ତୁଳନାରେ ୯% ଅଧିକ। ୨୦୨୩-୨୪ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୯.୬% ରହିଥିବାବେଳେ ୨୦୨୪-୨୫ରେ ଏହା ୭.୨%କୁ ହ୍ରାସ ପାଇଛି। ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣରେ ୦.୧% ବୃଦ୍ଧି ପାଇଛି। ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୩.୧% ଥିବାବେଳେ ସଦ୍ୟ ବଜେଟରେ ଏହା ୩.୨%କୁ ବଢ଼ିବ। ୨୦୨୩-୨୪ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ପରିମାଣ ରାଜ୍ୟ ଜିଡିପିର ୧.୮%(ସଂଶୋଧିତ ବଜେଟରେ) ରହିଥିଲା। ଏଫ୍ଆରବିଏମ୍ ଆକ୍ଟ ଅନୁସାରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ପରିମାଣ ସର୍ବାଧିକ ରାଜ୍ୟ ଜିଡିପିର ୩.୫% ପର୍ଯ୍ୟନ୍ତ ହୋଇପାରିବ। ସେହିପରି ରାଜ୍ୟର ଋଣବୋଝ ମଧ୍ୟ ୧% ବୃଦ୍ଧି ପାଇ ଜିଡିପିର ୧୨.୭%କୁ ଛୁଇଁବ ବୋଲି ଆକଳନ ହୋଇଛି। ୨୦୨୪-୨୫ ଆର୍ଥିକବର୍ଷର ସଂଶୋଧିତ ବଜେଟରେ ରାଜ୍ୟର ଋଣବୋଝ ପରିମାଣ ୧ଲକ୍ଷ ୧୦ହଜାର ୭୧୪କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୩୪ହଜାର ୯୧୪କୋଟି ଟଙ୍କା (ରାଜ୍ୟ ଜିଡିପିର ୧୨.୭%) ଛୁଇଁବ। ରାଜ୍ୟରେ ମୁଣ୍ଡପିଛା ଋଣବୋଝ ୨୮୭୦୫ଟଙ୍କା ହେବ। ତେବେ ୨୦୨୯-୩୦ ଆର୍ଥିକବର୍ଷ ବେଳକୁ ସରକାର ରାଜ୍ୟ ଜିଡିପିର ୧୫.୭% ପ୍ରତିଶତ ଋଣ ଆହରଣ କରିଥିବେ ବୋଲି ଆକଳନ କରିଛନ୍ତି। ଏଫ୍ଆରବିଏମ୍ ଆକ୍ଟ ଆଧାରରେ ଋଣ ପରିମାଣ ରାଜ୍ୟ ଜିଡିପିର ୨୫% ମଧ୍ୟରେ ରହିବା ଜରୁରୀ ଥିବାବେଳେ ଓଡ଼ିଶା ଏଦିଗରେ ଭଲ ସ୍ଥିତିରେ ଅଛି ବୋଲି ବଜେଟରେ ସରକାର ଦାବି କରିଛନ୍ତି। ରାଜ୍ୟର ଡିଜିପି ପରିମାଣ ୨୦୨୪-୨୫ରେ ୯.୨୬ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ୮% ହାରରେ ବାସ୍ତବ ଅଭିବୃଦ୍ଧି କରି ୧୦.୬୭ଲକ୍ଷ କୋଟି ଟଙ୍କା ଛୁଇଁବା ନେଇ ଆକଳନ କରାଯାଇଛି। ତେବେ ୨୦୨୪-୨୫ର ସଂଶୋଧିତ ଆକଳନ ଅନୁସାରେ ରାଜ୍ୟର ଜିଡିପି ପରିମାଣର ୯.୪୯ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅଗ୍ରିମ ଆକଳନରୁ ଜଣାପଡ଼ିଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……