ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ପୁରୁଣା ଗାଡ଼ି ଉପରେ ରହିଛି ସରକାରଙ୍କ ନଜର । ବାଟରେ ପୁରୁଣା ଗାଡ଼ିକୁ ଜବତ କରିବାକୁ ଆଜିଠୁ ଆରମ୍ଭ ହୋଇଛି ଚେକିଙ୍ଗ । ଆଉ ପେଟ୍ରୋଲ ପମ୍ପରେ ପଇଁତରା ମାରୁଛନ୍ତି ପୋଲିସ । କାରଣ ଆଜିଠୁ ବି ଦିଲ୍ଲୀରେ ପୁରୁଣା ଗାଡ଼ିକୁ ପେଟ୍ରୋଲ-ଡିଜେଲ ମନା । ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଉ ଯଦି ଏହି ପୁରୁଣା ଗାଡ଼ି ଧରି ବାହାରକୁ ବାହାରୁଛନ୍ତି ତେବେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିବ । କାର ଚାଳକଙ୍କୁ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ଥିବା ବେଳେ ବାଇକ୍ ଚାଳକ ୫ ହଜାର ଟଙ୍କା ଫାଇନ୍ ଗଣିବେ ।ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦିଲ୍ଲୀରେ ସରକାର ନୂଆ ନିୟମ ଆଣିବା ପରେ ପାଖାପାଖି ୬୨ ଲକ୍ଷ ପୁରୁଣା ଗାଡ଼ି ଏହି ବର୍ଗରେ ଅନ୍ତର୍ଭୁକ୍ତ । ଯେଉଁ ଗାଡ଼ି ନା ରାସ୍ତାରେ ଗଡ଼ିପାରିବ ନା ପେଟ୍ରୋଲ ପମ୍ପରେ ଇନ୍ଧନ ପକାଇ ପାରିବ । ୬୨ ଲକ୍ଷ ଗାଡ଼ି ଭିତରୁ ୪୧ ଲକ୍ଷ ଦୁଇ ଚକିଆ ଥିବାବେଳେ ୧୮ ଲକ୍ଷ ଚାରି ଚକିଆ ଯାନ ରହିଛି । ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ରାସ୍ତାରୁ ଏହି ସବୁ ବିଷାକ୍ତ ଧୂଆଁ ଛାଡୁଥିବା ପୁରୁଣା ଗାଡ଼ିକୁ ହଠାଇବାକୁ ଆଜିଠାରୁ ପ୍ରୟାସ ଆରମ୍ଭ ହୋଇଛି ।ସେପଟେ ଦିଲ୍ଲୀର ୩୫୦ ପେଟ୍ରୋଲ ପମ୍ପ ମଧ୍ଯରୁ ୧୦୦ଟି ସବୁଠୁ ଅଧିକ ଗହଳି ହେଉଥିବା ପେଟ୍ରୋଲ ପମ୍ପରେ ପୋଲିସର ଟିମ୍ ପଇଁତରା ମାରୁଛି ଏବଂ ୬୦ ପାଖାପାଖି ପେଟ୍ରୋଲ୍ ପମ୍ପରେ ପରିବହନ ବିଭାଗର ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି । ଏହାସହ ସ୍ବତନ୍ତ୍ର କ୍ୟାମେରାରେ ମଧ୍ଯ ପୁରୁଣା ଗାଡ଼ି ନେଇ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି ।
More Stories
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……