ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଫେରିବା ଆରମ୍ଭ ହୋଇଛି। ସୋମବାର ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଓ ନୂଆପଡ଼ା ଆଦି ୮ ଜିଲ୍ଲାରୁ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଅପସରି ଯାଇଛି। ସେହିପରି ଅନୁଗୋଳ ଓ ବୌଦ୍ଧ ଜିଲାର ଅଧିକାଂଶ ଅଞ୍ଚଳରୁ ଏବଂ କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲାର ଅଳ୍ପ କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଦୁଇଦିନରେ ରାଜ୍ୟର ଅବଶିଷ୍ଟ ଜିଲାଗୁଡ଼ିକରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସ୍ଥିର ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୩ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପରେ ଲଘୁଚାପ କ୍ରମେ ପଶ୍ଚିମ ଉତ୍ତର ଦିଗକୁ ଅଗ୍ରସର ହେବ। ପଶ୍ଚିମ-ଉତ୍ତରମୁହାଁ ହୋଇ ୧୫ ତାରିଖ ସୁଦ୍ଧା ଉପକୂଳ ଛୁଇଁବ। ୱେଲ୍ ମାର୍କଡ ଲଘୁଚାପ ଭାବେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ମଧ୍ୟରେ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ସେପଟେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..