ରିପୋର୍ଟ କାର୍ଡ / ପିପିଲି
ବାର୍ଡ-ଫ୍ଲୁ ପ୍ରଭାବିତ ପିପିଲି ଅଞ୍ଚଳରେ ଶନିବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ ହୋଇଛି। ରବିବାର ଦ୍ବିତୀୟ ଦିନରେ ୩ ଫାର୍ମରୁ ୪୭୪୯ କୁକୁଡ଼ା ମରାଯାଇ ମାଟିରେ ପୋତା ଯାଇଛି। ଏହି ଅଭିଯାନରେ ରାଜ୍ୟର ୪ ଜିଲ୍ଲାରୁ ୧୩ଟି ରାପିଡ୍ ରେସ୍ପନ୍ସ ଦଳ(ଆର୍ଆର୍ଟି)ର ୬୫ ସଦସ୍ୟ ସାମିଲ ହୋଇଛନ୍ତି। ପିପିଲିର କିଛି ଫାର୍ମରେ ଲଗାତାର ଭାବେ ଶହ ଶହ ସଂଖ୍ୟାରେ କୁକୁଡ଼ା ମଡ଼କ ହୋଇଥିଲା। ଫୁଲନଖରାସ୍ଥିତ ପ୍ରାଣୀସମ୍ପଦ ରୋଗ ଅନୁସନ୍ଧାନ କେନ୍ଦ୍ରର(ଏ.ଡି.ଆର୍.ଆଇ) ବିଶେଷଜ୍ଞମାନେ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ଆବଲପୁର ଗାଁର ଏକ କୁକୁଡା ଫାର୍ମରୁ ୧୭ତାରିଖରେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭେଲୋରସ୍ଥିତ ପରୀକ୍ଷାଗାରକୁ ପଠାଇଥିଲେ। ରିପୋର୍ଟ ବାର୍ଡ-ଫ୍ଲୁ ପଜିଟିଭ୍ ଆସିବା ପରେ ସଂକ୍ରମିତ ଅଞ୍ଚଳର ୧ କିଲୋମିଟର ପରିସୀମା ମଧ୍ୟରେ କୁକୁଡ଼ାମରା ଅଭିଯାନ ଆରମ୍ଭ ହୋଇଛି। ଫାର୍ମଗୁଡ଼ିକୁ ବିଶୋଧନ କରାଯାଉଛି। ସଂକ୍ରମିତ ଅଞ୍ଚଳରେ ଥିବା ମୋଟ ୫୪ ଫାର୍ମ ମଧ୍ୟରୁ ୪୩ ଫାର୍ମରେ ଇତିମଧ୍ୟରେ କୌଣସି କୁକୁଡା ନଥିବା ବେଳେ ଅବଶିଷ୍ଟ ୧୧ ଫାର୍ମରେ ବଞ୍ଚିଥିବା ୨୦ହଜାର ୧ଶହ କୁକୁଡ଼ା ମରାଯିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଦ୍ବିତୀୟ ଦିନରେ ଆବଲପୁର ଅଞ୍ଚଳର ଗୋଟିଏ ଫାର୍ମରୁ ୨୧୮୮, ଓଡ଼ସମୁଦି ଅଞ୍ଚଳର ଗୋଟିଏ ଫାର୍ମରୁ ୩୯୦ ଓ ଜନାର୍ଦନପୁର ଅଞ୍ଚଳର ଗୋଟିଏ କୁକୁଡା ଫାର୍ମରୁ ୨୧୭୧ଟି କୁକୁଡ଼ାଙ୍କୁ ମରାଯାଇ ମାଟିରେ ପୋତାଯାଇଛି। ଏଥିସହ ୪ ଫାର୍ମକୁ ବିଶୋଧନ କରାଯାଇଛି। କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରିବାକୁ ଦାବି ହୋଇଛି। ଅନ୍ୟପକ୍ଷେ ବଡ଼ କୁକୁଡ଼ା ପ୍ରତି ୭୦ଟଙ୍କା, ସାନ କୁକୁଡ଼ା ୨୦ଟଙ୍କା ଓ ଅଣ୍ଡାଦିଆ ବଡ଼ କୁକୁଡ଼ା ୯୦ ଟଙ୍କା ଓ କୁକୁଡ଼ା ଦାନା କିଲୋପ୍ରତି ୧୨ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସରକାରଙ୍କ ଗାଇଡ୍ ଲାଇନ ରହିଥିବା ପିପିଲି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଆଲୋକ ମିଶ୍ର ସୂଚନା ଦେଇଛନ୍ତି। ମଙ୍ଗଳପୁରଠାରେ ଅତିରିକ୍ତ ଜିଲା ପ୍ରାଣୀ ସମ୍ପଦ ଅଧିକାରୀ(ଏଡିଭିଓ) ଡା.ବିଶ୍ୱରଞ୍ଜନ ବେହେରାଙ୍କ ସହ ପୋଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ, ଓଡ଼ିଶାର ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ପରିଡ଼ାଙ୍କ ନେତୃତ୍ୱରେ ପିପିଲି, ସତ୍ୟବାଦୀ, ଡେଲାଙ୍ଗ ଆଦି ଅଞ୍ଚଳର କୁକୁଡ଼ା ଚାଷୀଙ୍କ ସହ ଆଲୋଚନା ହୋଇଥିଲା।






More Stories
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..