ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଏବେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆଫ୍ଗାନ ସୀମାରେ ପାକ୍ସେନାର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ତାଲିବାନ ସରକାର ପାକିସ୍ତାନକୁ ଶାସ୍ତି ଦେବ ବୋଲି ଘୋଷଣା କରିଥିବା ବେଳେ ଏବେ ତାଲିବାନ ଏବଂ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ୩୦ ହଜାରରୁ ଅଧିକ ଯୋଦ୍ଧା ହାଫିଜ ଗୁଲ ବାହାଦୁରଙ୍କ ନେତୃତ୍ୱରେ ପାକିସ୍ତାନର ସାମରିକ କ୍ୟାଣ୍ଟନମେଣ୍ଟ ମୀର ଅଲ୍ଲୀ ଉପରେ ଆକ୍ରମଣ କରିବେ ବୋଲି ଘୋଷଣା କରିଛନ୍ତି। ଆଫଗାନିସ୍ତାନ ସୈନିକମାନେ ଟିଟିପି ସହିତ ହାତ ମିଳାଇଥିବାରୁ ପାକିସ୍ତାନ ସେନା ପାଇଁ ବହୁତ ବଡ଼ ଆହ୍ବାନ ସୃଷ୍ଟି ହୋଇଛି । ରବିବାର ସନ୍ଧ୍ୟା ସୁଦ୍ଧା ୫ ହଜାରରୁ ଅଧିକ ତାଲିବାନୀ ଯୋଦ୍ଧା ପାକ୍ ସୀମାରେ ଏକାଠି ହୋଇଥିବାରୁ ଉତ୍ତେଜନା ବଢ଼ିଛି। ମାର୍ଚ୍ଚ ୨୬ ପରେ ପାକିସ୍ତାନ ବିରୋଧରେ ଅଭିଯାନ ପାଇଁ ଆହୁରି ୨୦ ହଜାରରୁ ଅଧିକ ସଦସ୍ୟ ସାମିଲ ହେବେ ବୋଲି ଟିଟିପି ଦାବି କରିଛି। ୪ ଦିନ ତଳେ ପାକ୍ ଏୟାର ଷ୍ଟ୍ରାଇକ୍ରେ କ୍ଷୁବ୍ଧ ତାଲିବାନ ପାକିସ୍ତାନର ୧୨ଟି ସାମରିକ ପୋଷ୍ଟକୁ ଧ୍ୱଂସ କରିଥିଲା। ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ଶତ୍ରୁତା ଚରମରେ ପହଞ୍ଚିଛି ଏବଂ ସୀମାରେ ବିସ୍ଫୋରକ ସ୍ଥିତି ଲାଗି ରହିଛି। ଗତ ସପ୍ତାହରେ ପାକିସ୍ତାନ ତାଲିବାନ ନେତା ହାଫିଜ୍ ଗୁଲ ବାହାଦୁରଙ୍କ ୱାଜିରିସ୍ତାନରେ ଥିବା ଶିବିର ଉପରେ ବିମାନ ଆକ୍ରମଣ କରିଥିଲା। ଏଥିରେ ୧୮ ଜଣ ଟିଟିପି ସଦସ୍ୟ ନିହତ ହୋଇଥିଲେ। ହାଫିଜ ଗୁଲ ୨୦୦୬ରୁ ୨୦୦୯ ମଧ୍ୟରେ ପାକିସ୍ତାନ ସେନା ସମର୍ଥିତ କମାଣ୍ଡର ଥିଲେ। କିନ୍ତୁ ପରେ ବିଭିନ୍ନ କାରଣରୁ ପାକ୍ ସେନାକୁ ଟାର୍ଗେଟ୍ କରିଥିଲେ ଜୁନ୍ ୨୦୦୯ରୁ ପାକ୍ ସେନା ତାଙ୍କ ବିରୋଧରେ ଅପରେସନ୍ ଆରମ୍ଭ କରିଥିଲା। ତାଲିବାନ ଇରାନ୍ଠାରୁ ଡ୍ରୋନ କିଣିବା ପରଠାରୁ ଉଭୟ ଦେଶ ମଧ୍ୟରେ ସଂପର୍କ ଅଧିକ ଖରାପ ଆଡ଼କୁ ଗତି କରିଥିଲା। ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ ଏବେ ସିଧାସଳଖ ପାକ୍ ସେନା ବିରୋଧରେ ଯୁଦ୍ଧ ଡାକରା ଦେଇଥିବାରୁ ଏହାର ମୁକାବିଲା ପାଇଁ ପାକିସ୍ତାନ ପ୍ରସ୍ତୁତ ହେଉଛି। ଉତ୍ତେଜନା ହ୍ରାସ ପାଇଁ କୌଣସି କୂଟନୈତିକ ପଦକ୍ଷେପ କାମ ଦେଉନଥିବାରୁ ବଡ଼ ସଂଘର୍ଷର ସୂତ୍ରପାତ ହେବା ଆଶଙ୍କା ରହିଛି।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..