ରିପୋର୍ଟ କାର୍ଡ / ଭୁବନେଶ୍ବର
ମାର୍ଚ୍ଚ ପହିଲାରୁ ଯୁକ୍ତ୨ ଥିଓରି ପରୀକ୍ଷା ହେବ। ଆଜିଠାରୁ ଠାରୁ ଫେବ୍ରୁଆରି ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍ ଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ। ତାହାକୁ ନଜରରେ ରଖି ହବ୍ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ସମସ୍ତ ହବ୍ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥର ୨୦୨ଟି ହବ୍ କରାଯାଇଛି। ସେଥିମଧ୍ୟରୁ ୨୦୧ଟି ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ବୟଂଶାସିତ କଲେଜ, ବିଶ୍ବବିଦ୍ୟାଳୟରେ ହୋଇଥିବା ବେଳେ ଗୋଟିଏ ସବ୍-ଟ୍ରେଜେରିକୁ ହବ୍ ଭାବେ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ୧୧୪୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି, ଯାହାକି ୨୦୨ଟି ହବ୍ ଅଧୀନରେ ରହିଛି। ୨୦୧ ଯୁକ୍ତ୨ କଲେଜ ଅଧ୍ୟକ୍ଷ ହବ୍ ସୁପରଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି। ଯେଉଁଠାରେ ଅଧ୍ୟକ୍ଷ ଦାୟିତ୍ବରେ ନାହାନ୍ତି, ସେଠାରେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ବରେ ରଖାଯାଇଛି। ସୁପରଭାଇଜରଙ୍କ ବ୍ୟତୀତ ଇଏମ୍ଏଚ୍ରେ ଡେପୁଟି ସୁପରଭାଇଜର, ଇଏମ୍ଏଚ୍ ସହାୟକ, ଜଣେ ଲେଖାଏ ଅଧିକାରୀ ଓ ନାଇଟ୍ ୱାଚ୍ମ୍ୟାନ୍ ହବ୍ ପରିଚାଳନା ଦାୟିତ୍ବରେ ରହିଛନ୍ତି। ହବ୍ର ଷ୍ଟ୍ରଙ୍ଗ୍ ରୁମ୍ରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୋଲିସ ପହରା ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ର ଗ୍ରହଣ କରିବା ଦିନଠାରୁ ହିଁ ହବ୍ଗୁଡ଼ିକ କାର୍ଯ୍ୟକ୍ଷମ ହେବ। କୌଣସି ବି ପରିସ୍ଥିତିରେ ହବ୍ ସୁପରଭାଇଜର କିମ୍ବା ଡେପୁଟି ସୁପରଭାଇଜର ଷ୍ଟ୍ରଙ୍ଗ୍ ରୁମ୍କୁ ଏକା ଖୋଲି ପ୍ରବେଶ କରିପାରିବେ ନାହିଁ। ଯେତେବେଳେ ବି ଷ୍ଟ୍ରଙ୍ଗ୍ରୁମ୍ ଖୋଲାଯିବ ସେତେବେଳେ ଉଭୟ ଉପସ୍ଥିତ ରହିବା ବାଧ୍ୟତାମୂଳକ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..