ରିପୋର୍ଟ କାର୍ଡ / ଭୁବନେଶ୍ବର
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ୨ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ | ଏପ୍ରିଲ ୫ରେ ଶେଷ ହେବା ନେଇ ସୂଚନା ମିଳିଛି । ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୧ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ। ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ପରିଷଦ। ଫେବୃଆରୀ ପହିଲାରୁ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବାରୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ମାଟେରିଆଲ୍ସ ଆସନ୍ତା ୨୪ ତାରିଖ ସକାଳୁ ସିଏଚ୍ଏସ୍ଇ କାର୍ଯ୍ୟାଳୟରୁ ବାହାରିବ। ୨୯ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ଏହା ପହଞ୍ଚିବ। ଏ ନେଇ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ସମସ୍ତ ଅଧ୍ୟକ୍ଷ ଏବଂ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଜଣାଇଛନ୍ତି। ସିଏଚ୍ଏସ୍ଇ ଅଧିକାରୀମାନେ ଅଫିସ ସମୟ ପରେ ମଧ୍ୟ ଶିକ୍ଷାନୁଷ୍ଠାନରେ ପହଞ୍ଚିପାରନ୍ତି। ତେଣୁ ୨୪ ରୁ ୨୯ତାରିଖ ମଧ୍ୟରେ ଅଧ୍ୟକ୍ଷମାନେ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ମାଟେରିଆଲ୍ସକୁ ଗ୍ରହଣ କରିବା ପାଇଁ ସତର୍କ ରହିବେ। ସେହିପରି ସମସ୍ତ ମାଟେରିଆଲ୍ସକୁ ଠିକ୍ ଭାବେ ତଦାରଖ ଏବଂ ଗଣିକରି ଅଧ୍ୟକ୍ଷମାନେ ରଖିବେ। ଯଦି କେଉଁଠି କମ୍ ଥାଏ, ତେବେ ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇବେ। ସମସ୍ତ ପ୍ରଶ୍ନପତ୍ର ସେଣ୍ଟର ସୁପରିଟେଣ୍ଡେଣ୍ଟ ଏବଂ ଅଧ୍ୟକ୍ଷଙ୍କ ତଦାରଖରେ ସିସିଟିଭି ନଜରରେ ଥିବା ଷ୍ଟ୍ରଙ୍ଗରୁମରେ ରଖାଯିବ। ଅନ୍ୟପକ୍ଷରେ ଆସନ୍ତା ୩୧ ତାରିଖ ସୁଦ୍ଧା ତୈମାସିକ ପରୀକ୍ଷାର ମାର୍କ ସାମ୍ସ ପୋର୍ଟାଲରେ ଅପଲୋଡ୍ କରିବା ପାଇଁ ସିଏଚ୍ଏସ୍ଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଥିବା ଜଣାପଡିଛି |






More Stories
ମୋହନ ସରକାରକୁ ପୂରିଲା ୨ ବର୍ଷ: ରିପୋର୍ଟ ଉପସ୍ଥାପନ କରିବେ…..
ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ…..
ତାତିରୁ ମିଳିବ ମୁକ୍ତି,ଆସୁଛି ବର୍ଷା…..