ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଜାତୀୟ ନିରାପତ୍ତା ସଂକ୍ରାନ୍ତ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ପ୍ରସ୍ତୁତି ଏବଂ ଆନ୍ତଃମନ୍ତ୍ରଣାଳୟ ସମନ୍ୱୟର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଶ୍ରୀ ମୋଦୀ ପରିଚାଳନାଗତ ନିରନ୍ତରତା ଏବଂ ଅନୁଷ୍ଠାନିକ ସ୍ଥିରତା ବଜାୟ ରଖିବା ପାଇଁ ମନ୍ତ୍ରଣାଳୟ ଏବଂ ଏଜେନ୍ସିମାନଙ୍କ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା ପାଇଁ ମନ୍ତ୍ରଣାଳୟଗୁଡ଼ିକର ଯୋଜନା ଏବଂ ପ୍ରସ୍ତୁତିର ମଧ୍ୟ ସେ ସମୀକ୍ଷା କରିଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଥିରେ ବେସାମରିକ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଭୁଲ ସୂଚନା ଏବଂ ମିଥ୍ୟା ଖବରର ମୁକାବିଲା ପାଇଁ ପ୍ରୟାସ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ ଥିଲା। ରାଜ୍ୟ ଓ ତୃଣମୂଳ ସ୍ତରୀୟ ଅନୁଷ୍ଠାନ ଗୁଡ଼ିକ ସହ ଘନିଷ୍ଠ ସମନ୍ୱୟ ରଖିବାକୁ ମଧ୍ୟ ମନ୍ତ୍ରଣାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ପ୍ରସ୍ତୁତି, ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ଆଭ୍ୟନ୍ତରୀଣ ଯୋଗାଯୋଗ ପ୍ରୋଟୋକଲ ଉପରେ ବିଶେଷ ଧ୍ୟାନ ଦେବା ସହିତ ଅତ୍ୟାବଶ୍ୟକ ବ୍ୟବସ୍ଥାର ବ୍ୟାପକ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସଚିବମାନଙ୍କୁ ସେମାନଙ୍କ ସମ୍ପୃକ୍ତ ମନ୍ତ୍ରଣାଳୟର କାର୍ଯ୍ୟର ବ୍ୟାପକ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦେଶ ଏକ ସମ୍ବେଦନଶୀଳ ସମୟ ଦେଇ ଗତି କରୁଥିବାରୁ ନିରନ୍ତର ସତର୍କତା, ସଂସ୍ଥାଗତ ସମନ୍ୱୟ ଏବଂ ସ୍ପଷ୍ଟ ଯୋଗାଯୋଗ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଜାତୀୟ ନିରାପତ୍ତା, ପରିଚାଳନାଗତ ପ୍ରସ୍ତୁତି ଏବଂ ନାଗରିକ ସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ। ବୈଠକରେ କ୍ୟାବିନେଟ୍ ସଚିବ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା, ଗୃହ, ବୈଦେଶିକ ବ୍ୟାପାର, ସୂଚନା ଓ ପ୍ରସାରଣ, ଶକ୍ତି, ସ୍ୱାସ୍ଥ୍ୟ ଏବଂ ଦୂରସଂଚାର ସମେତ ପ୍ରମୁଖ ମନ୍ତ୍ରଣାଳୟର ସଚିବମାନେ ଉପସ୍ଥିତ ଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..