Report Card Odisha

| Daily Odia News

ନବୀନ ସ୍ୱଚ୍ଛତାର ପ୍ରତିଶ୍ରୁତି ଦେଲେ ମିଳିବ ପିଏମ୍ ଆବାସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଆଦୌ ସ୍ବଚ୍ଛତା ନାହିଁ। ପାରଦର୍ଶିତା ସହ ଯୋଜନାର କ୍ରିୟାନ୍ବୟନ ରାଜ୍ୟ ସରକାର କରିନଥିବାରୁ ‌ଅନେକ ହିତାଧିକାରୀ ଆବାସ ପାଇ ନାହାନ୍ତି। ଗୁରୁବାର ଦିଲ୍ଲୀର କୃଷି ଭବନରେ ରାଜ୍ୟ ସରକାରଙ୍କର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହ ବୈଠକ କରିବା ସମୟରେ ଏମିତି କଡା ଟିପ୍ପଣୀ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗରିରାଜ ସିଂହ। କହିଛନ୍ତି କି କେନ୍ଦ୍ରର ତଥ୍ୟ ଅନୁସନ୍ଧାନକାରୀ ଦଳ ଅ‌ନିୟମିତାର ଅନେକ ତ୍ରୁଟି ଧରିଛି। ରାଜ୍ୟକୁ ଫନି ବାତ୍ୟା ପରେ ଦିଆଯାଇଥିବା ଘର ମଧ୍ୟରୁ ୩୭%ରେ ବିଭ୍ରାଟ ହୋଇଥିବା ସୂଚନା ମିଳିଛି । ଏଥିରେ ଘର ଜଣକ ନାମରେ ଦିଆଯାଇଥିବା ବେଳେ ଖାତା ଅନ୍ୟ କାହା ନାମରେ ରହିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇ ଆହୁରି କହିଛନ୍ତି ଯେ ସ୍ବଛତା ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ଯାଇ ବାକି ଘର ମଂଜୁର ହେବ। ଆଜିର ଏହି ବୈଠକର ନିଷ୍ପତ୍ତି ସଂପର୍କରେ ରାଜ୍ୟ ମନ୍ତ୍ରୀ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କହିବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଠୋସ୍ ପ୍ରତିଶ୍ରୁତି ମିଳିବା ପରେ ଯାଇ ଘର ଦିଆଯିବ। ଅର୍ଥାତ୍ ସ୍ବଚ୍ଛତା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ବାକି ୮ ଲକ୍ଷ ଘର ମଂଜୁର କରାଯିବ।ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନା ଲୋଗରେ ଲାଗିରହିଥିବା ବିବାଦରେ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ ଭାରତ ସରକାରଙ୍କର ଲୋଗୋ ଲଗାଯିବ। ଆବାସ ପ୍ଲସ ପୋର୍ଟାଲରେ ସଠିକ ତଥ୍ୟ ପ୍ରଦାନ କରିବା, ଯୋଜନାର ତଦାରଖ ଏବଂ ଅନିମିୟତାରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭାଗୀୟ ମନ୍ତ୍ରଣାଳୟର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିପରି ଭାବରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେ ଦିଗରେ ଆଲୋଚନା ହୋଇଛି। କେନ୍ଦ୍ର ସରକାର ସବୁ ଗରିବଙ୍କ ମୁଣ୍ଡ ଉପରେ ସମ୍ମାନର ସହ ପକ୍କା ଘର ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ସରକାର ପିଏମ୍ ଗ୍ରାମୀଣ ଓ ସହରୀ ଆବାସ ଯୋଜନା ପାଇଁ ୪୮ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ସେଥିମଧ୍ୟରୁ ଓଡ଼ିଶାର ଭାଗ ରହିଛି ପ୍ରାୟ ୭ ହଜାର କୋଟି ଟଙ୍କା । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ପିଏମ ଆବାସ ଯୋଜନା ପୋର୍ଟାଲରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପ୍ରାୟ ୮ ଲକ୍ଷ ଘର ଯୋଡ଼ାଯିବ। ଏହା ବ୍ୟତିତ ଫଣିରେ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଲକ୍ଷାଧିକ ଘର ପ୍ରଦାନ କରାଯିବ। ଏସବୁକୁ ମିଶାଇଲେ ଆଗାମୀ ଦିନରେ ଓଡ଼ିଶାରେ ପ୍ରାୟ ୧୦ ଲକ୍ଷ ଘର ନିର୍ମାଣ କରାଯିବାର ଯୋଜନା ରହିଛି। ସେହିପରି ଭୂମିହୀନଙ୍କୁ ପକ୍କା ଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିଶେଷ ପ୍ରାଥମିକତା ଦେଉଛନ୍ତି । ପିଏମ୍ ଆବାସ୍ ଯୋଜନାରେ ଉଭୟ ଗାଁ ଓ ସହର ପାଇଁ ଅଧିକରୁ ଅଧିକ ଘର ନିର୍ମାଣ ପାଇଁ ଅର୍ଥ ମିଳିଲେ ରାଜ୍ୟର ଗରିବ, ପଛୁଆ ଓ ଆଦିବାସୀ ଅଞ୍ଚଳର ଅଧିବାସୀମାନେ ଉପକୃତ ହେବେ ।

 

Breaking News