ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ୱର ସର୍ବବୃହତ୍ତ ରିଭର୍ କ୍ରୁଜ୍ ଏମଭି ଗଙ୍ଗା ବିଳାସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଉତ୍ତର ପ୍ରଦେଶର ବାରାଣସୀରୁ ଏହି ନଦୀ ପୋତ କୁ ମୋଦି ଭିଡିଓ କନଫରେନ୍ସିଂ ଦ୍ୱାରା ଉଦଘାଟନ କରିଛନ୍ତି। ପ୍ରଥମ ଦଫାରେ ୩୨ ଜଣ ସ୍ୱିସ୍ ପର୍ଯ୍ୟଟକ ଏହି କ୍ରୁଜରେ ଯାତ୍ରା କରିବେ। ଏହା ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡ଼ରେ ପହଞ୍ଚିବ। ପ୍ରଥମଥର ପାଇଁ ଏମଭି ଗଙ୍ଗା ବିଳାସ ଭଳି କ୍ରୁଜ ଭାରତରେ ନିର୍ମାଣ ହୋଇଛି। ଏହା ୫୧ ଦିନରେ ୩,୨୦୦ କିମି ଯାତ୍ରା କରିବ। କ୍ରୁଜରେ ଯାତ୍ରା ଆରମ୍ଭ କରିଥିବା ୩୨ ଜଣ ପର୍ଯ୍ୟଟକଙ୍କୁ ବାରାଣସୀ ଘାଟରେ ସ୍ୱାଗତ କରାଯାଇଥିଲା। ସେମାନେ ବାରାଣସୀର ବିଭିନ୍ନ ଧାର୍ମିକ ଓ ଐତିହାସିକ ସ୍ଥାନ ବୁଲିବା ପରେ କ୍ରୁଜରେ ଯାତ୍ରା କରିଛନ୍ତି। କ୍ରୁଜର ନିର୍ଦ୍ଦେଶକ ରାଜ ସିଂହ କହିଛନ୍ତି, ଏହା ମଧ୍ୟରେ ୫ ତାରକା ହୋଟେଲ ବ୍ୟବସ୍ଥା ରହିଛି। ଏଥିରେ ଥିବା ୧୮ଟି ସୁଟ୍ସରେ ୩୬ ଜଣ ପର୍ଯ୍ୟଟକ ରହିପାରିବେ। ଏହାବାଦ ୪୦ ଜଣ କ୍ରୁ ସଦସ୍ୟଙ୍କ ପାଇଁ ବ୍ୟବସ୍ଥା ହୋଇଛି। ଏହି ଅତ୍ୟାଧୁନିକ ଜାହାଜର ଲମ୍ବ ୬୨ ମିଟର, ଚଉଡ଼ା ୧୨ ମିଟର ଓ ଉଚ୍ଚତା ୯ ମିଟର ରହିଛି।

ପ୍ରସିଦ୍ଧ ଲାଭ କରିଥିବା ୨୭ଟି ନଦୀ ପଥ ଦେଇ ଏହା ଯାତ୍ରା କରିବ। ବିଶ୍ୱ ଐତିହ୍ୟ, ଜାତୀୟ ପାର୍କ, ନଦୀ ଘାଟ ସମେତ ଗୁରୁତ୍ୱପୂର୍ଣ୍ଣ ସହର ଯଥା ବିହାରର ପାଟନା, ଝାରଖଣ୍ଡର ଶାହିଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ବାଂଲାଦେଶର ଢାକା ଓ ଆସାମର ଗୌହାଟୀ ଭଳି ସ୍ଥାନକୁ ଯିବ। ଗଙ୍ଗା, ଭାଗିରଥୀ, ଯମୁନା, ବିଧ୍ୟାବତୀ ଓ ବ୍ରହ୍ମପୁତ୍ର ଭଳି ପ୍ରମୁଖ ନଦୀ ଦେଇ ଏହା ଯାତାୟାତ କରିବ।






More Stories
ଆଜିଠୁ ବଙ୍ଗ ଭୟମୁକ୍ତ…..
ଭବାନୀପୁରରେ ହାରିଲେ ଦିଦି…..
ରାଜପଥରେ ଯୁବକଙ୍କୁ ହାଣିଦେଲେ…..