Report Card Odisha

| Daily Odia News

ଆମେ ନିଶ୍ଚିତ ଭାବେ କରୋନା ବିରୋଧୀ ଲଢେଇରେ ବିଜୟୀ ହେବା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ନିଶ୍ଚିତ ଭାବେ କରୋନା ବିରୋଧୀ ଲଢେଇରେ ବିଜୟୀ ହେବା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି, ଟିକାକରଣ ଏବଂ ମୌଳିକ ସ୍ୱାସ୍ଥ୍ୟ ସୁବିଧା ଉପରେ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ, କରୋନାର ସଂକ୍ରମର ଗତିକୁ ନିୟନ୍ତ୍ରଣ କରିବା ପାଇଁ କଟକଣା ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଶହେ ବର୍ଷର ସବୁଠାରୁ ବଡ ମହାମାରୀ ବିରୋଧରେ ଭାରତର ସଂଗ୍ରାମ ବର୍ତ୍ତମାନ ତୃତୀୟ ବର୍ଷରେ ପ୍ରବେଶ କରିଛି । କଠିନ ପରିଶ୍ରମ ହେଉଛି ଆମର ଏକମାତ୍ର ପଥ ଏବଂ ବିଜୟ ହେଉଛି ଏକମାତ୍ର ବିକଳ୍ପ। ଆମେ ୧୩୦ କୋଟି ଭାରତୀୟ ନିଶ୍ଚିତ ଭାବରେ ଆମର ଉଦ୍ୟମ ବଳରେ କରୋନାଠାରୁ ବିଜୟୀ ହେବା । ସେ କହିଛନ୍ତି ଯେ ଓମିକ୍ରନ୍ ବିଷୟରେ ପୂର୍ବ ସନ୍ଦେହ ଏବେ ଧୀରେ ଧୀରେ ସ୍ପଷ୍ଟ ହୋଇଯାଉଛି । ଓମିକ୍ରନ୍ ଭାରିଆଣ୍ଟ ସାଧାରଣ ଜନତାଙ୍କୁ ପୂର୍ବ ପ୍ରକାର ଅପେକ୍ଷା ଅଧିକ ଶୀଘ୍ର ସଂକ୍ରମିତ କରୁଛି। ସେ କହିଛନ୍ତି ଯେ ପୂର୍ବ ପ୍ରକାର ତୁଳନାରେ ଓମିକ୍ରନ୍ ଦ୍ରୁତ ଗତିରେ ବ୍ୟାପୁଛି । ଆମର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି । ତେବେ ଆମକୁ ସତର୍କ ରହିବାକୁ ପଡିବ । ଟିକାକରଣ ବିଷୟରେ ସେ କହିଛନ୍ତି ଯେ ଆଜି ଭାରତ ପ୍ରାୟ ୯୨ ପ୍ରତିଶତ ବୟସ୍କ ଲୋକଙ୍କୁ କୋଭିଡ ଟିକା ପ୍ରଦାନ କରିଛି । ଦ୍ୱିତୀୟ ପାନର ବ୍ୟାପକତା ମଧ୍ୟ ଦେଶ ପ୍ରାୟ ୭୦ ପ୍ରତିଶତରେ ପହଞ୍ଚିଛି । ୧୦ ଦିନ ମଧ୍ୟରେ ଭାରତ ପ୍ରାୟ ୩୦ ନିୟୁତ କିଶୋରଙ୍କୁ ଟିକା ଦେଇଛି। ସେ କହିଛନ୍ତି ଯେ ଆଜି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି । ଆଗଧାଡିର କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କୁ ଯେତେ ଶୀଘ୍ର ‘ସତର୍କତା ବା ବୁଷ୍ଟର ଡୋଜ୍’ ଦିଆଯିବ ସେ ଦିଗରେ ସମସସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ। ଶତ ପ୍ରତିଶତ ଟିକାକରଣ ପାଇଁ ଆମକୁ ହର ଘର ଦସ୍ତାକ ଅଭିଯାନକୁ ଅଧିକ ତୀବ୍ରତର କରିବାକୁ ପଡିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ରାଜ୍ୟଗୁଡିକୁ ଆବଣ୍ଟିତ କରିଥିବା ୨୩,୦୦୦ କୋଟି ଟଙ୍କାର ପ୍ୟାକେଜ୍ ଭଲ ଭାବରେ ବ୍ୟବହାର କରାଯାଇଛି। ଅନେକ ରାଜ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିଛନ୍ତି। କେନ୍ଦ୍ର ଏବଂ ରାଜ୍ୟମାନେ ଏହି ସମୟରେ ସାମୂହିକ ଏବଂ ସକ୍ରିୟ ଆଭିମୁଖ୍ୟ ଅନୁସରଣ କରିବା ଆବଶ୍ୟକ।

Breaking News