Report Card Odisha

| Daily Odia News

ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ଡ୍ରୋନ୍ ଉଡ଼ିବା ଉପରେ କଟକଣା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୩ତାରିଖର ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ସମ୍ବଲପୁର ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ୩ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲୀ ବିମାନବନ୍ଦରରୁ ବାୟୁ ‌େସନା ବିମାନରେ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ସ୍ବତନ୍ତ୍ର ହେଲିକପ୍ଟରରେ ସମ୍ବଲପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚି ଆଇଆଇଏମ୍‌ କ୍ୟାମ୍ପସକୁ ଯିବେ। ସେଠାରେ ଆଇଆଇଏମ୍‌, ସମ୍ବଲପୁର କ୍ୟାମ୍ପସର ଲୋକାର୍ପଣ, ଅନ୍ୟ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ସ୍ଥାନୀୟ ‘ରେମେଡ୍’ ପଡ଼ିଆଠାରେ ଏକ ସାଧାରଣ ସଭାରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଲୋକସେବା ଭବନରେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଷ୍ପତ୍ତି ହୋଇଛି ଯେ ଝାରସୁଗୁଡ଼ା ବିମାନବନ୍ଦର ସମେତ ସମ୍ବଲପୁର ଠାରେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଆନୁଷଙ୍ଗିକ ବ୍ୟବସ୍ଥା ସହ ତାଙ୍କ ଗସ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ମାନକ ନିୟମ ଅନୁସାରେ କଡ଼ାକଡ଼ି ଦୃଷ୍ଟି ଦିଆଯିବ। ପ୍ରଧାନମନ୍ତ୍ରୀ ଯୋଗଦେବାକୁ ଥିବା କୌଣସି କାର୍ଯ୍ୟକ୍ରମ ସ୍ଥଳ, ବିମାନବନ୍ଦର, ହେଲିପ୍ୟାଡ଼ସ୍ଥଳରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ନାହିଁ। ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ, ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଜେନେରେଟର ରଖିବା ସହ ଆଗୁଆ ଟେଷ୍ଟିଂ କରିବା, ଆଉ ଦୁଇଟି ଅତିରିକ୍ତ ଜେନେରେଟର ରଖିବା, ଡାକବାଜି ଯନ୍ତ୍ର ଯେପରି ଭଲ ଭାବେ ବାଜିବ ସେନେଇ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

Breaking News