Report Card Odisha

| Daily Odia News

ମୋଦୀ-ରାହୁଲ ମୁହାଁମୁହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୁମ୍ବାଇର ଏକ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ମୋଦୀଙ୍କ ବିରୋଧରେ ଲଢ଼େଇ ବ୍ୟକ୍ତିଗତ ନୁହେଁ। ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖା ପିନ୍ଧି ‘ଶକ୍ତି’ ପାଇଁ କାମ କରୁଛନ୍ତି। ଆମର ଲଢ଼େଇ ସେହି ଶକ୍ତି ବିରୋଧରେ। ଏହି ମନ୍ତବ୍ୟର ପ୍ରତିକ୍ରିୟାରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାହୁଲଙ୍କ ଆହ୍ବାନକୁ ସେ ସ୍ବୀକାର କରୁଛନ୍ତି। ସେ ଭାରତମାତାଙ୍କ ପୂଜକ। ଇଣ୍ଡି-ମେଣ୍ଟ ନିଜର ପ୍ରତିଶ୍ରୁତିରେ ଶକ୍ତିକୁ ନଷ୍ଟ କରିବାକୁ ଆହ୍ବାନ ଦେଇଛି। ଏହି ଆହ୍ବାନକୁ ସେ ସ୍ବୀକାର କରୁଛନ୍ତି। ତେଲେଙ୍ଗାନାର ଜଗତିଆଲ୍‌ ଠାରେ ସାଧାରଣ ସଭାକୁ ଉଦ‌୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଇଣ୍ଡି-ମେଣ୍ଟ ଶକ୍ତିକୁ ଶେଷ କରିଦେବାକୁ ପଣ କରିଛି। ସେ ନାରୀଶକ୍ତିର ସୁରକ୍ଷା ପାଇଁ ନିଜର ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ରାହୁଲଙ୍କ ମନ୍ତବ୍ୟ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଲଟା ଜବାବକୁ ନେଇ ବର୍ତ୍ତମାନ ଦୁଇ ରାଜ‌ନୈତିକ ଦଳର ସମର୍ଥକ ଓ‌ ନେତାଙ୍କ ମଧ୍ୟରେ ଏକ ପ୍ରକାର ରାଜନୈତିକ ବାକ୍‌ଯୁଦ୍ଧ ସୃଷ୍ଟି ହୋଇଛି। ଏହି ମନ୍ତବ୍ୟ ନିମନ୍ତେ ରାହୁଲଙ୍କୁ କ‌ଠୋର ସମାଲୋଚନା କରି କଂଗ୍ରେସ ଦଳ ମହିଳା ବିରୋଧୀ ବୋଲି ବିଜେପି କହିଛି। ଅନ୍ୟପକ୍ଷରେ ବିଜେପି ବିଭ୍ରାଟ ସୃଷ୍ଟି କରିବାକୁ ମନ୍ତବ୍ୟକୁ ବଦଳାଇଦେଉଛି ବୋଲି ରାହୁଲ କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରାହୁଲ କହିଛନ୍ତି ଯେ ମୋଦୀ ତାଙ୍କର ସବୁ କଥାକୁ ଟାଣିଓଟାରି ଅଲଗା ଅର୍ଥରେ ପ୍ରକାଶ କରୁଛନ୍ତି। ସେ ଶକ୍ତି ମନ୍ତବ୍ୟର ମଧ୍ୟ କଦର୍ଥ କରିଛନ୍ତି, କାରଣ ସେ ଏକ ଗଭୀର ସତ୍ୟ ପ୍ରକାଶ କରିଛନ୍ତି। ଶକ୍ତି ବୋଲି ସେ ଯାହାକୁ କହିଥିଲେ ତାହାର ଅର୍ଥ ଧାର୍ମିକ ନୁହେଁ, କିନ୍ତୁ ଏହି ଶକ୍ତି ଦୁର୍ନୀତି, ଅସତ୍ୟ ଓ ଅଧର୍ମର। ଏହି ଶକ୍ତି ଏଭଳି ଯାହା ଭାରତର ସ୍ବରକୁ ଚାପି ଦେଇଛି, ଭାରତର ଅନୁଷ୍ଠାନ, ସିବିଆଇ, ଆଇଟି, ଇଡି, ନିର୍ବାଚନ କମିସନ, ମିଡିଆ, ଭାରତର ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାକୁ ଅତିକ୍ରମଣ କରିଛି।

 

 

Breaking News