Report Card Odisha

| Daily Odia News

୫୧,୦୦୦ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଭିନ୍ନ ପାରା ମିଲ୍‌ଟାରି ଫୋର୍ସରେ ଚାକିରି କରିବା ପାଇଁ ମନୋନୀତ ହୋଇଥିବା ୫୧,୧୦୬ଜଣ ପ୍ରାର୍ଥୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ରୋଜଗାର ମେଳା’ର ଅଷ୍ଟମ ସଂସ୍କରଣରେ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶର ୪୫ଟି ସ୍ଥାନରେ ଆୟୋଜିତ ହୋଇଥିବା ଏହି ରୋଜଗାର ମେଳାରେ ଭର୍ଚ୍ୟୁଆଲ୍‌ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, ଏ ‘ଅମୃତ କାଳ’ରେ ଆପଣମାନେ ‘ଅମୃତ ରକ୍ଷକ’ ଅଟନ୍ତି। ଗତ ଅଳ୍ପ କେତେ ବର୍ଷରେ ପାରାମିଲ୍‌ଟାରି ଫୋର୍ସ ଚୟନ ପ୍ରକ୍ରିୟାରେ ଆମେ ଅନେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛୁ। ସେହିପରି, ଯୁବବର୍ଗଙ୍କୁ ଚାକିରି ସୁଯୋଗ ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ ଯେ, ଅଟୋମୋବାଇଲ୍‌, ଫାର୍ମା ସେକ୍ଟର୍‌ ଖୁବ୍‌ ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବାରୁ ଆଗାମୀ ଦିନରେ ଅନେକ ଚାକରି ସୁଯୋଗ ମିଳିବ। ସେ ମଧ୍ୟ କହିଛନ୍ତି ଯେ, ଏହି ଦଶନ୍ଧିରେ ଭାରତ ବିଶ୍ବର ଶ୍ରେଷ୍ଠ ୩ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବାର ଗୌରବ ଅର୍ଜନ କରିବ। କୌଣସି ଦେଶର ଅର୍ଥନୀତିକୁ ବୃଦ୍ଧି କରିବାକୁ ହେଲେ ଖାଦ୍ୟଠାରୁ ଫାର୍ମା ପର୍ଯ୍ୟନ୍ତ, ମହାକାଶଠାରୁ ଷ୍ଟାର୍ଟଅପ୍‌ ପର୍ଯ୍ୟନ୍ତ ସବୁ ସେକ୍ଟର୍‌ଗୁଡ଼ିକୁ ବିକଶିତ କରିବାକୁ ପଡ଼ିବ। ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ୯ ବର୍ଷ ତଳେ ଅଗଷ୍ଟ ୨୮ ତାରିଖ ଦିନ ଜନଧନ ଯୋଜନା ଆରମ୍ଭ କରାଯାଇଥିଲା। ନିଯୁକ୍ତି ସୃଷ୍ଟିରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି।

Breaking News