ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭାରେ କରୋନା ମହାମାରୀଙ୍କୁ ନେଇ ଆଲୋଚନା ସମୟରେ ବିରୋଧୀ ଦଳ ମୋଦୀ ସରକାରଙ୍କ ଉପରେ ବର୍ଷିଥିଲେ । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୋଦୀ ନିଜକୁ ଦାୟୀ କରନ୍ତି ନାହିଁ ବରଂ ବଳି ପାଇଁ ବକରା ଖୋଜିଥାନ୍ତି। ଖଡଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ୍ କରିଥିଲେ ଯେ, ଲୋକେ ଥାଳି ବଜାନ୍ତୁ, ମହମବତୀ ଜାଳନ୍ତୁ। ଲୋକେ ତାଙ୍କ କଥାକୁ ଭରସା କଲେ ଏବଂ ତାହା ମଧ୍ୟ କଲେ। ହେଲେ ପ୍ରଧାନମନ୍ତ୍ରୀ ନିଜର ପ୍ରତିଶ୍ରୁତି ପୂରଣ ନକରି ନିରାଶ କରିଛନ୍ତି। ସେ ନିଜର ଦାୟିତ୍ଵ ନେବା ପରିବର୍ତ୍ତେ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ବଳିର ବକରା କରି ଦେଲେ। ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ମୁଁ ଦେଶର କରୋନା ଯୋଦ୍ଧାଙ୍କୁ ସଲାମ କରୁଛି। ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ପାଇଁ କାମ କଲେ। ମୁଁ ସେହି ଲୋକଙ୍କୁ ମଧ୍ୟ ସଲାମ କରୁଛି, ଯେଉଁମାନେ ଦିଲ୍ଲୀରେ ଅକ୍ସିଜେନ ଲଙ୍ଗର ଚଲାଇଲେ ଏବଂ ପ୍ଲାଜମା ଦାନ କରି ପୀଡିତଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଲେ। ହେଲେ ଗତ ବର୍ଷ ଲକ୍ଡାଉନ୍ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଖଡଗେ। କଂଗ୍ରେସ ନେତା କହିଛନ୍ତି, ନୋଟ୍ବନ୍ଦୀ ପରେ ସରକାର ରାତାରାତି ଲକ୍ଡାଉନ୍ ଘୋଷଣା କରି ଦେଲେ। ସରକାର ଲକ୍ଡାଉନ୍ ପୂର୍ବରୁ କୌଣସି ପ୍ରସ୍ତୁତି କରିନଥିଲେ। କୌଣସି ବ୍ୟବସ୍ଥା କରିନଥିଲେ, ଯଦ୍ଵାରା ଲୋକେ ନିଜ ଘରେ ପହଞ୍ଚି ପାରିବେ। ଗରିବ ନିଜର ରୋଜଗାର ହରାଇଲେ। ସରକାରଙ୍କୁ ଏଥିପାଇଁ ନିଜକୁ ଦାୟୀ କରିବା ଉଚିତ୍। କରୋନା କାଳରେ ନିର୍ବାଚନ କରାଗଲା। ସାମାଜିକ ଦୂରତ୍ଵ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଲା। ଏହି ସମୟରେ ସରକାର ହାତରେ ହାତ ବାନ୍ଧି ବସି ରହିଲେ। ଖୋଦ୍ ନିର୍ବାଚନ ରାଲି କରି ଭିଡ ଜମାଇଲେ ବୋଲି ଖଡଗେ କହିଛନ୍ତି।






More Stories
ବିହାର ହାର୍ ପାଇଁ ଆରଜେଡି ଦାୟୀ…..
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଆଉ ଥରେ ହେଉ ନୂଆପଡ଼ା ଉପନିର୍ବାଚନ:କଂଗ୍ରେସ…..