ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶୁକ୍ରବାର ଦେଶରେ ଯାନବାହନ ସ୍କ୍ରାପେଜ ନୀତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଅଯୋଗ୍ୟ ହୋଇପଡିଥିବା ଏବଂ ପ୍ରଦୂଷଣକାରୀ ଯାନବାହନଗୁଡିକୁ ରାସ୍ତାରୁ ପର୍ଯ୍ୟାୟକ୍ରମେ ହଟାଇ ଦିଆଯାଇ ତାହାକୁ ପରିବେଶ ଉପଯୋଗୀ ପଦ୍ଧତିରେ ଭାଙ୍ଗି ଦିଆଯିବ। ଆଜି ଗୁଜରାଟରେ ଆୟୋଜିତ ନିବେଶକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି | କହିଛନ୍ତି କି ଭାରତର ବିକାଶ ଯାତ୍ରାରେ ଏହି ନୀତି ଏକ ଉଲ୍ଲେଖଯୋଗ୍ୟ ମାଇଲଖୁଣ୍ଟ ହେବ। ଯୁବଗୋଷ୍ଠୀ ଏବଂ ଷ୍ଟାର୍ଟଅପଗୁଡିକ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ସୂଚନାଯୋଗ୍ୟ ଯେ ପୁରୁଣା ଯାନବାହନଗୁଡିକୁ ଭାଙ୍ଗିବା ସକାଶେ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବାକୁ ପୁଞ୍ଜିନିବେଶ ଆହ୍ୱାନ କରିବା ଉଦ୍ଦେଶ୍ୟରେ ଗୁଜରାଟରେ ଏହି ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଏକ ସମର୍ଥ ଓ ଆବର୍ତ୍ତି ଅର୍ଥନୀତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିସହିତ ପରିବେଶଗତ ଦିଗ ପ୍ରତି ଦାୟବଦ୍ଧ ରହିବା ସମୟରେ ସମସ୍ତ ସହଭାଗୀଙ୍କ ପାଇଁ ମୂଲ୍ୟ ଆଣିଦେବାକୁ ମଧ୍ୟ ଉଦ୍ୟମ କରାଯାଉଛି। ଯାନବାହନ ସ୍କ୍ରାପେଜ ନୀତିରେ ସମଗ୍ର ଦେଶରେ ଅଟୋମେଟେଡ ଟେଷ୍ଟିଂ ଷ୍ଟେସନ ଏବଂ ପଞ୍ଜିକୃତ ଯାନବାହନ ସ୍କ୍ରାପିଙ୍ଗ ସୁବିଧା ଆକାରରେ ଭିତ୍ତିଭୂମି ସୃଷ୍ଟି କରାଯିବ। ସେହି କ୍ରମରେ ଦେଶରେ ସ୍ୱେଚ୍ଛାକୃତ ଭାବରେ ଯାନବାହନ ଆଧୁନିକିକରଣ କାର୍ଯ୍ୟକ୍ରମ ଆଗେଇ ନେବାକୁ ଏହି ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି। କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବଂ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହୋଇଛି।






More Stories
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……
ଆମେରିକା ପ୍ରତିରକ୍ଷା ସଚିବଙ୍କ କଡ଼ା ଚେତାବନୀ…..