ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍ ୧୦୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମାଆଙ୍କୁ ଭେଟିବାକୁ ଗାନ୍ଧୀନଗରରେ ପହଞ୍ଚିଥିଲେ । ସେ ମଆଙ୍କ ପାଦ ଧୋଇବା ସହ ତାଙ୍କର ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ପୁରା ଭାବବିହ୍ୱଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା। ମାଆଙ୍କ ଉପରେ ଏକ ସ୍ବତନ୍ତ୍ର ପୋଷ୍ଟ୍ ଲେଖି ପିଲାଦିନର କିଛି ସ୍ମୃତିକୁ ବି ମନେ ପକାଇଛନ୍ତି । ସେ ଏକ ଭାବପ୍ରବଣ ବ୍ଲଗ୍ କରି ଲେଖିଛନ୍ତି, ‘ମୋ ମାଆ, ହୀରାବା ଆଜି ଜୁନ୍ ୧୮ରେ ୧୦୦ ବର୍ଷ ବୟସରେ ପାଦ ଦେଇଛନ୍ତି। ବାପା ଆଜି ବଞ୍ଚିଥିଲେ ତାଙ୍କୁ ମଧ୍ୟ ଗତ ସପ୍ତାହରେ୧୦୦ ବର୍ଷ ପୂରିଯାଇଥାନ୍ତା। ୨୦୨୨ ଏକ ଏପରି ବର୍ଷ ଯେଉଁ ବର୍ଷରେ ମୋ ମାଆଙ୍କ ଜନ୍ମର ଶତାବ୍ଦୀ ବର୍ଷ ଆରମ୍ଭ ହେଉଛି ଓ ମୋ ବାପାଙ୍କର ଶତାବ୍ଦୀ ବର୍ଷ ପୂରିଯାଉଛି। ମୋ ମାଆଙ୍କ ଜନ୍ମ ମେହେଶାଣା ଜିଲ୍ଲାର ବିସନଗରରେ ହୋଇଥିଲା। ବଡ଼ନଗରଠାରୁ ଏହା ବେଶି ଦୂର ନୁହେଁ। ମୋ ମାଆକୁ ନିଜ ମାଆ ଅର୍ଥାତ ମୋ ଆଈଙ୍କ ସ୍ନେହ ମିଳିପାରିନଥିଲା। ୧୦୦ ବର୍ଷ ତଳେ ଆସିଥିବା ମହାମାରୀରେ ମୋ ଆଈ ଚାଲି ଯାଇଥିଲେ। ମାଆଙ୍କୁ ସେତେବେଳେ ବୟସ କିଛି ଦିନ ମାତ୍ର ହୋଇଥିବ। ତାଙ୍କୁ ତାଙ୍କ ମାଆଙ୍କ କୋଳ, ମାଆଙ୍କ ଚେହେରା କିଛି ବି ମନେ ନାହିଁ। ଥରେ ଭାବନ୍ତୁ ମୋ ମାଆଙ୍କ ପିଲାଦିନ ତାଙ୍କ ମାଆଙ୍କ ବିନା କଟିଛି। ସେ ତାଙ୍କ ମାଆଙ୍କ ପଣତରେ ମୁଣ୍ଡ ରଖିନାହାନ୍ତି, ମାଆଙ୍କ ଆଗରେ ଜିଦି କରିପାରିନାହାନ୍ତି। ମୋ ମାଆ ସ୍କୁଲ୍ର ଦୁଆର ମୁହଁ ବି ଦେଖିନାହାନ୍ତି। ସେ କେବଳ ଦାରିଦ୍ରତା ଦେଖିଛନ୍ତି। ପିଲାଦିନର ସଂଘର୍ଷ ହିଁ ତାଙ୍କୁ ମଜବୁତ କରି ଦେଇଥିଲା। ତାଙ୍କ ଘରେ ଥିଲେ ସ ବଡ଼ ଝିଅ, ବିବାହ ପରେ ହେଲେ ବଡ଼ ବୋହୂ। ଘରେ ଯେପରି ସମସ୍ତ ଦାୟିତ୍ବ ମାଆଙ୍କ ମୁଣ୍ଡରେ ଥିଲା, ଶାଶୂ ଘରେ ବି ସେହି ସମାନ କଥା ଘଟିଲା। ବଡ଼ନଗରର ଯେଉଁ ଘରେ ଆମେ ରହୁଥିଲୁ ତାହା ଖୁବ୍ ଛୋଟ ଥିଲା। ସେହି ଘରେ କୌଣସି କବାଟ, ଗାଧୁଆଘର ଓ ପାଇଖାନା ନଥିଲା। ଏକ ମାଟି ଘରେ ବାପାମାଆଙ୍କ ସହ ଆମେ ଭାଇଭଉଣୀ ରହୁଥିଲୁ। ଘର ଚଳାଇବା ପାଇଁ ବାପା ଉପାର୍ଜନ କରୁଥିବା ଟଙ୍କା ଯଥେଷ୍ଟ ହେଉନଥିବାରୁ ମାଆ ପର ଘରେ ଯାଇ ବାସନ ବି ମାଜୁଥିଲେ।’ ଏଭଳି ଏକ ଭାବପ୍ରବଣ ଭରା ବ୍ଲଗ ଲେଖି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବାଲ୍ୟ ଜୀବନର ସଂଘର୍ଷମୟ କାହାଣୀ ବଖାଣିବା ସହିତ ତାଙ୍କ ମା’ଙ୍କ ଜୀବନର ଦୁଃଖଦୁର୍ଦ୍ଦଶା ଉଜାଗର କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ନାଁରେ ସ୍ଥାନୀୟ ମେୟର ଗାନ୍ଧିନଗରର ୮୦ ମିଟର ରାସ୍ତାକୁ ପୂଜ୍ୟ ହୀରାବାଇ ମାର୍ଗ ନାଁରେ ନାମିତ କରିଛନ୍ତି ।






More Stories
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..