Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ, ରାହୁଲ ନୁହେଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲଣ୍ଡନରେ ରାହୁଲ ଗାନ୍ଧିଙ୍କ ଭାରତ-ବିରୋଧୀ ମନ୍ତବ୍ୟକୁ ନେଇ ସଂସଦରେ ବିଜେପି କଂଗ୍ରେସକୁ ଘେରି,ରାହୁଲ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଥିଲା | କଂଗ୍ରେସ ତା’ର ପାଲଟା ଜବାବ ଦେଇଛି। ଅଧୀର ଚୌଧୁରୀ କହିଛନ୍ତି ଯେ ରାହୁଲ ଗାନ୍ଧି ନୁହନ୍ତି ବରଂ କେନ୍ଦ୍ର ସରକାର କ୍ଷମା ମାଗିବା ଉଚିତ। ରାହୁଲ ଗାନ୍ଧିଙ୍କ ଉପରେ ବିଜେପିର ଆକ୍ରମଣକୁ ଆହୁରି ଜୋରଦାର କରି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ, ଏହି ସଂସଦର ଜଣେ ସଦସ୍ୟ ବିଦେଶରେ ଯାଇ ଭାରତର ଗଣତନ୍ତ୍ର ବିରୋଧରେ କହିବେ ଆଉ ସଂସଦ ତାକୁ ଚୁପ୍‌ଚାପ୍ ବସି ଦେଖିବ, ତାହା ହୋଇପାରିବ ନାହିଁ। ଏହିପରି ଭାବେ ରାହୁଲଙ୍କ ମନ୍ତବ୍ୟକୁ ନେଇ ପାର୍ଲାମେଣ୍ଟରେ ବାକ୍‌-ବିତଣ୍ଡା ଜୋରଦାର ହୋଇଥିଲା। ବିଜେପି କହିଥିଲା ଯେ, ବିଦେଶରେ ରାହୁଲଙ୍କ ଭାରତ-ବିରୋଧୀ ମନ୍ତବ୍ୟକୁ ସବୁ ଦଳ ନିନ୍ଦା କରିବା ଓ ତାଙ୍କଠାରୁ କ୍ଷମା ଦାବି କରିବା ଉଚିତ। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ,୧୯୮୪ରେ କ’ଣ ହୋଇଥିଲା, ଯେତେବେଳେ ହଜାର ହଜାର ଶିଖ୍‌ଙ୍କୁ ହତ୍ୟା କରାଯାଇଥିଲା। ଏହାପରେ କଂଗ୍ରେସ ନେତା ଶକ୍ତିସିଂହ ଗୋହିଲ କହିଥିଲେ ଗୋୟଲ ଜଣେ ସାଂସଦଙ୍କୁ ସତ୍ୟତା ନ ଥାଇ ସମାଲୋଚନା କରୁଛନ୍ତି ଓ ତାଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଉଛନ୍ତି। ତେଣୁ ତାଙ୍କ ବିରୋଧରେ ସେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ଯେତେବେଳେ ବିଦେଶ ଯାଇ କଂଗ୍ରେସ ବିରୋଧରେ ସମାଲୋଚନା କରୁଛନ୍ତି, ସେତେବେଳେ ତ କୌଣସି ବିରୋଧୀ ଦଳ ନେତା ତାକୁ ପ୍ରସଙ୍ଗ କରୁନାହାନ୍ତି। ତେଣୁ ରାହୁଲ କ’ଣ କହିଦେଲେ ବୋଲି ତାକୁ କାହିଁକି ପ୍ରସଙ୍ଗ କରାଯାଉଛି? ଲୋକସଭାରେ କଂଗ୍ରେସର ମାଣିକମ ଟାଗୋର କହିଥିଲେ, କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ। ଯେଉଁମାନେ ଆର୍‌ଏସ୍‌ଏସ୍‌ରୁ ଆସିଛନ୍ତି, ସେମାନେ କ୍ଷମା ମାଗନ୍ତୁ, କଂଗ୍ରେସ ମାଗିବ ନାହିଁ। ଲୋକଙ୍କ ସ୍ବରକୁ ଚାପିଦିଆଯାଉଛି ବୋଲି ରାହୁଲ ଯାହା କହିଛନ୍ତି, ଠିକ୍ କହିଛନ୍ତି। ଟ୍ବିଟ୍ କରି ଟାଗୋର ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ମାଟିରେ ଭାରତକୁ ଅପମାନିତ କରିଛନ୍ତି। ବରଂ ସେ କ୍ଷମା ମାଗନ୍ତୁ।

Breaking News