Report Card Odisha

| Daily Odia News

ବୈଶ୍ୱିକ ପ୍ରୟାସ “ଲାଇଫ ମୁଭମେଣ୍ଟ’’ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବୈଶ୍ୱିକ ପ୍ରୟାସ, ପରିବେଶ ପାଇଁ ଜୀବନ ଶୈଳୀ ଆନ୍ଦୋଳନ ର ଶୁଭାରମ୍ଭ କରିବେ । ଆଜି ସନ୍ଧ୍ୟା ୬ଟାରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ‘ଲାଇଫ’ର ପୂର୍ଣ୍ଣାଙ୍ଗ ଇଂରାଜୀ ଅର୍ଥ ହେଲା, “ଲାଇଫ ଷ୍ଟାଇଲ ଫର ଦି ଏନଭିରୋନମେଣ୍ଟ”। ଏହି କାର୍ଯ୍ୟକ୍ରମ ମାଧ୍ୟମରେ “ଲାଇଫ ଗ୍ଲୋବଲ କଲ ଫର ପେପର୍ସ” ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ପରିବେଶ ସଚେତନ ଜୀବନ ଶୈଳୀ ସମ୍ପର୍କରେ ବିଚାର ଓ ପ୍ରସ୍ତାବମାନ ଆହ୍ୱାନ କରାଯିବ। ବିଶେଷକରି ଶିକ୍ଷାବିତ୍‌, ବିଶେଷଜ୍ଞ, ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନମାନଙ୍କଠାରୁ ଏହି ପ୍ରୟାସ ମାଧ୍ୟମରେ ପ୍ରସ୍ତାବ ଓ ବିଚାରମାନ ଆମନ୍ତ୍ରଣ କରାଯିବ। ଏହାର ଲକ୍ଷ୍ୟ ହେଲା ବିଶେଷଜ୍ଞ ମାନଙ୍କ ବିଚାର ଓ ପ୍ରସ୍ତାବ ଆଦି ଦ୍ୱାରା ଜନସାଧାରଣ, ଗୋଷ୍ଠୀ,ସମୁଦାୟ ଓ ସମାଜର ସଦସ୍ୟମାନଙ୍କୁ ପରିବେଶ ସଚେତନ ଜୀବନଶୈଳୀ ଆପଣାଇବା ପାଇଁ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା । ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ବିଲ୍ ଆଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନର ସହ ପ୍ରତିଷ୍ଠାତା ବିଲ୍ ଗେଟସ୍ , ଲର୍ଡ ନିକୋଲାସ ଷ୍ଟର୍ଣ୍ଣ, ଜଳବାୟୁ ଅର୍ଥ ଶାସ୍ତ୍ରୀ ପ୍ରଫେସର କାସ୍ ସନ୍‌ଷ୍ଟେନ, ଲେଖକ ନଜ୍ ଥିଓରୀ, ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଅଧ୍ୟକ୍ଷ ଅନିରୁଦ୍ଧ ଦାସଗୁପ୍ତ, ୟୁଏନ୍‌ଇପିର ବୈଶ୍ୱିକ ମୁଖ୍ୟ ସୁଶ୍ରୀ ଇଙ୍ଗର ଆଣ୍ଡରସନ୍‌, ୟୁଏନଡିପିର ବୈଶ୍ୱିକ ମୁଖ୍ୟ ମିଷ୍ଟର ଅଚିମ ଷ୍ଟେନର, ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ମିଷ୍ଟର ଡେଭିଡ ମାଲପାସ୍‌ଙ୍କ ସମେତ ବହୁବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ଗତବର୍ଷ ଗ୍ଲାସଗୋରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୬ତମ ସମ୍ମିଳନୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଲାଇଫ’ର ବିଚାର ଓ ଧାରଣ ଉପସ୍ଥାପନ କରିଥିଲେ । ଏଥିରେ ପରିବେଶ ସଚେତନ ଜୀବନ ଶୈଳୀ ଗୁରୁତ୍ୱ ପାଇଛି। ପ୍ରାକୃତିକ ସମ୍ପଦର ଅବିଚାରିତ ଓ ଧ୍ୱଂସକାରୀ ଉପଯୋଗ ନ’ କରି ବୁଝିବିଚାରି ନିଜର ଆବଶ୍ୟକତା ଅନୁସାରେ ତାହାର ବିନିଯୋଗ କରିବା ବିଚାରକୁ ଏଥିରେ ଅଗ୍ରାଧିକାର ଦିଆଯାଇଛି ।

Breaking News