ରିପୋର୍ଟ କାର୍ଡ / ଲକ୍ଷ୍ନୌ
୨୦୨୨ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରେକଫାଷ୍ଟ ପେ’ ଚର୍ଚ୍ଚା କରିବେ। ଉତ୍ତର ପ୍ରଦେଶର ୪୦ ଜଣ ସାଂସଦଙ୍କ ସହ ମୋଦି ଆଜି ବ୍ରେକଫାଷ୍ଟ କରିବା ସହ ଦଳୀୟ ରାଜନୀତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଯେମିତି ହେଲେ ବି ଉତ୍ତର ପ୍ରଦେଶରେ ଦଳକୁ ଜିତିବାକୁ ପଡ଼ିବ ଓ ଏଥିପାଇଁ ଆବଶ୍ୟକ ପଦକ୍ଷେପ ରଣନୀତି କରିବାକୁ ସେ ସାଂସଦମାନଙ୍କୁ ପରାମର୍ଶ ଦେବେ। ଲୋକଙ୍କ ପାଖରେ ପହଞ୍ଚି, ସେମାନଙ୍କ ମନ ଜିତିବା ପାଇଁ କ’ଣ ସବୁ କରାଯିବା ଦରକାର, ସେ ସମ୍ପର୍କରେ ସାଂସଦମାନେ ମୋଦିଙ୍କ ଠାରୁ ଗୁରୁ ମନ୍ତ୍ରଣା ନେବେ। ଏହି ବ୍ରେକଫାଷ୍ଟ ଚର୍ଚ୍ଚାରେ ଉତ୍ତରାଖଣ୍ଡର କିଛି ସାଂସଦ ମଧ୍ୟ ଉପସ୍ଥିତ ରହିବେ। ଏହାବାଦ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସାଂସଦ ପ୍ରହ୍ଲାଦ ଯୋଶୀ, ଅର୍ଜୁନ ମେଘୱାଲ ଓ ପି ମୁରଲୀଧରନ ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି। ସଂସଦର ଶୀତ ଅଧିବେଶନ ବେଳେ ମଧ୍ୟ ମୋଦି ଦଳୀୟ ସାଂସଦଙ୍କ ସହ ନିୟମିତ ବ୍ରେକଫାଷ୍ଟରେ ଚର୍ଚ୍ଚା କରୁଥିଲେ। ନିକଟରେ ସେ ମଧ୍ୟପ୍ରଦେଶର ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ। କିଛି ଦିନ ତଳେ ମୋଦି ବାରାଣସୀରେ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିଥିଲେ। ଏହି ସମୟରେ ସେ ୧୨ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଉତ୍ତର ପ୍ରଦେଶରେ ଭୋଟରଙ୍କୁ ବାନ୍ଧି ରଖିବା ପାଇଁ ଡିସେମ୍ବର ଶେଷ ପୂର୍ବରୁ ବିଜେପି ଏକାଧିକ ଶୋଭାଯାତ୍ରା କରିବ। ରାଜ୍ୟରେ ଥିବା ସମସ୍ତ ୪୦୩ ନିର୍ବାଚନ ମଣ୍ଡଳୀରେ ବିଜେପି ବରିଷ୍ଠ ନେତାମାନଙ୍କୁ ନେଇ ନିଜର ରଣନୀତିକୁ ସୁଦୃଢ଼ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ବିଜେପି ଏଥର ଆପନା ଦଳ ଓ ନିଶାଦ ପାର୍ଟି ସହ ଉତ୍ତର ପ୍ରଦେଶରେ ମେଣ୍ଟ କରିଛି। ଆଜି ନିଶାଦ ପାର୍ଟିକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲକ୍ଷ୍ନୌରେ ‘ସରକାର ବନାଓ, ଅଧିକାର ପାଓ’ ରାଲି କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନିଶାଦ ପାର୍ଟିର ସଭାପତି ସଞ୍ଜୟ ନିଶାଦଙ୍କ ଠାରୁ ଆରମ୍ଭ କରି ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ।






More Stories
ବଢିବ ଫାସ୍ଟାଗ୍ ବାର୍ଷିକ ଦେୟ…..
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….