ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି ଭାରତୀୟ ଜନତା ପାର୍ଟି ର ୪୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପାର୍ଟିର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ପତାକା ଉତ୍ତୋଳନ କରିଥିଲେ। ପ୍ରତିଷ୍ଠା ଦିବସ ଅବସରରେ ପାର୍ଟିର କାର୍ଯ୍ୟକର୍ତ୍ତା, ସାଂସଦ ଓ ବିଧାୟକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇ କହିଛନ୍ତି, ସାମାଜିକ ନ୍ୟାୟ କେବଳ ଏକ ରାଜନୈତିକ ସ୍ଲୋଗାନ ନୁହେଁ ବରଂ ଏହା ବିଜେପି ପ୍ରତି ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସ । ବିଜେପି ଦେଶ ସେବା ପାଇଁ ସମର୍ପିତ। ଏହା ସର୍ବଦା ରାଷ୍ଟ୍ରହିତ ସର୍ବୋପରି ଆଧାରରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅନେକ ରାଜନୈତିକ ଦଳ ଲୋକମାନଙ୍କର ମଙ୍ଗଳ ପରିବର୍ତ୍ତେ କିଛି ପରିବାରର ମଙ୍ଗଳ ଦିଗରେ କାର୍ଯ୍ୟ କରିଛନ୍ତି। ଶ୍ରୀ ମୋଦୀ ଦୁର୍ନୀତି ନିବାରଣ, ପ୍ରିୟାପୀତି ତୋଷଣର ଦୂରୀକରଣ ଓ ଆଇନ ଶୃଙ୍ଖଳା ରକ୍ଷା ପ୍ରତି ତାଙ୍କର ବଚନବଦ୍ଧତାକୁ ଦୋହରାଇଛନ୍ତି। ସେ କହିଛନ୍ତି, ଯେତେବେଳେ ଜନସଂଘ ଗଠନ ହେଲା ଏହାର କୌଣସି ରାଜନୈତିକ ଅଭିଜ୍ଞତା ନ ଥିଲା କିମ୍ବା ଏହା ପାଖରେ କିଛି ସମ୍ବଳ ନ ଥିଲା। ଏହା କେବଳ ଦେଶ ଓ ଗଣତନ୍ତ୍ର ପ୍ରତି ନିଜକୁ ଉତ୍ସର୍ଗ କରିଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ଆଜି ଦେଶରେ ଏକ ନୂତନ ରାଜନୈତିକ ସଂସ୍କୃତିର ପ୍ରସାର କରିଛି । ଏକ ଭାରତ, ଶ୍ରେଷ୍ଠ ଭାରତ ପାର୍ଟିର ମନ୍ତ୍ର ଓ ଲକ୍ଷ୍ୟ ହୋଇଛି। ଶ୍ରୀ ମୋଦୀ, ପାର୍ଟିର ଶହ ଶହ କର୍ମୀଙ୍କ ସେବା ଓ ବଳିଦାନକୁ ସ୍ମରଣ କରିଛନ୍ତି । ବିଜେପିକୁ ମଜଭୁତ କରିବାରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସେ କହିଛନ୍ତି । ବିଜେପି କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ବିଜେପିର କର୍ମୀମାନେ ନିଜକୁ କେବଳ ନିର୍ବାଚନ ଜିତିବା ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ, ସେମାନେ ଜନସାଧାରଣଙ୍କ ହୃଦୟକୁ ଜିତିବା ପ୍ରତି ଗୁରୁତ୍ୱ ଦେବା ଉଚିତ। ବିଜେପି ଆଜିଠାରୁ ସାମାଜିକ ନ୍ୟାୟ ସପ୍ତାହ ମଧ୍ୟ ପାଳନ କରୁଛି। ଏହା ୧୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଆସନ୍ତା ୧୧ ତାରିଖରେ ପାର୍ଟି ସଦସ୍ୟମାନେ ମହାନ ସମାଜସେବୀ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ପାଳନ କରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସର କେବଳ ବଂଶବାଦ ରାଜନୀତି କରେ। କିନ୍ତୁ, ‘ବିଜେପି’ର ରାଜନୈତିକ ଧାରା ହେଉଛି ସମସ୍ତଙ୍କୁ ସାଥିରେ ଧରି ବଡ଼ ଆଶା କରିବା ଓ ବଡ଼ ସଫଳତା ହାସଲ କରିବା। ୨୦୧୪ରେ ଯାହା ଘଟିଲା ତାହା ଖାଲି ଭାରତରେ ପହରାଦାର ପରିବର୍ତ୍ତନ ନୁହେଁ। ତାହା ଥିଲା ଶହ ଶହ ବର୍ଷର ଦାସତ୍ୱରୁ ମୁକ୍ତ ନୂତନ ଯୁଗ ଆଡ଼କୁ ଭାରତର ଗତିଶୀଳତା। ୧୯୪୭ରେ ବ୍ରିଟିସ୍ ଦେଶ ଛାଡ଼ିଲେ, କିନ୍ତୁ କିଛି ଲୋକଙ୍କ ଭିତରେ ଦାସତ୍ୱ ମନୋବୃତ୍ତି ଛାଡ଼ିଗଲେ। ସୋମାନେ ବାଦଶାହୀ ମିଜାଜ୍ ବା ମନୋଭାବକୁ ପରିପୁଷ୍ଟ କରି ଦେଶବାସୀଙ୍କୁ ଗୋଲାମ୍ ବୋଲି ବିଚାରିଲେ। ସେମାନେ ମୋ ଡିଜିଟାଲ୍ ଇଣ୍ଡିଆ ଚିନ୍ତାଧାରାକୁ ସନ୍ଦେହ କରି ବିଦ୍ରୂପ କଲେ। ଧାରା ୩୭୦ ଅତୀତର କଥା ହେବ ବୋଲି ସେମାନେ ପରିକଳ୍ପନା ବି କରି ପାରି ନ ଥିବେ। ସେମାନେ ବର୍ଷ ବର୍ଷ ଧରି ଯାହା କରି ନ ପାରିଲେ ସେଥିରେ ‘ବିଜେପି’ର ସଫଳତା ଦେଖି ସେମାନେ ଅସହିଷ୍ଣୁ ହୋଇ ଉଠିଲେ। ଏବେ ସେମାନେ ମିଥ୍ୟା ଅପପ୍ରଚାର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..