Report Card Odisha

| Daily Odia News

ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ……

ରିପୋର୍ଟ କାର୍ଡ / ଗଞ୍ଜାମ

ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ ମିଳିଛି। ଏ ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ। ଏମାନଙ୍କଠାରୁ ହତ୍ୟାକାଣଡର କିଛି ସୁରାଗ ମିଳିବ ବୋଳି ଆଶା କରାଯାଉଛି।ସୂଚନାଯୋଗ୍ୟ, ବ୍ରହ୍ମପୁର ବୈକୁଣ୍ଠ ନଗରସ୍ଥିତ ନିଜ ଘର ନିକଟରେ ଆଇନଜୀବୀ ତଥା ଭାଜପାର ସକ୍ରିୟ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଘଟଣାର ୭୨ ଘଣ୍ଟା ପରେ ବି ପୋଲିସ କାହାକୁ ଗିରଫ କରିନାହିଁ। ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିନାହିଁ। ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ବାହାସ୍ପୋଟ ମାରୁଛି ପୋଲିସ। ଅଭିଯୁକ୍ତ ଚିହ୍ନଟ ନ ହେବା ଘଟଣାକୁ ନେଇ ସହରରେ ଭିନ୍ନ ଚର୍ଚ୍ଚା ଚାଲିଛି। ପୀତବାସ ରାଜନୀତିରେ ଏକ ପ୍ରମୁଖ ଚେହେରା ହୋଇଥିବାରୁ ହତ୍ୟାକାଣ୍ଡରେ କୌଣସି ରାଜନେତାଙ୍କ ସମ୍ପୃକ୍ତି ଥାଇପାରେ ବୋଲି କେତେଜଣ ଆଲୋଚନା କରୁଛନ୍ତି। ଏପରିକି ଏହି ହତ୍ୟାକାଣ୍ଡରେ ବାଲି ମାଫିଆ ସମ୍ପୃକ୍ତ ଥାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ତାଙ୍କର ଯଦିଓ କେହି ଶତ୍ରୁ ନାହାନ୍ତି ବୋଲି ପରିବାର ପକ୍ଷରୁ କୁହାଯାଉଛି ତାକୁ ନେଇ ବି ଭିନ୍ନ ଭିନ୍ନ କଥା ଚର୍ଚ୍ଚା ହେଉଛି। ଏପଟେ ସମୟ ଗଡି ଚାଲିଥିବାରୁ ଅଭିଯୁକ୍ତଙ୍କୁ ଖସାଇବାକୁ ଯୋଜନା ହେଉଥିବା ନେଇ କେତେଜଣ କହୁଛନ୍ତି।ପୋଲିସ ୬ଟି ଟିମ ଗଠନ କରି ତଦନ୍ତ କରୁଥିବା କଥା କହୁଛି। ୬୦ରୁ ୭୦ ଫୁଟେଜ ସଂଗ୍ରହ କରିଛି। କିଏ କେଉଁ ଭଳି ଭାବେ ତଦନ୍ତ କରିବେ ତାହା ବି ସ୍ଥିର କରିଛି। କିନ୍ତୁ ଗୁରୁବାର ସନ୍ଧ୍ୟା ସୁଦ୍ଧା କୌଣସି ଅଗ୍ରଗତି ହେଉନଥିବାରୁ ଅପରାଧୀଙ୍କୁ ଖସାଇବାକୁ ଉଦ୍ୟମ ଚାଲିଥିବା ସନ୍ଦେହକୁ ସାଧାରଣରେ ଦୃଢ଼ୀଭୂତ କରିଛି। ସ୍ବାମୀଙ୍କୁ ହରାଇ ପୀତବାସଙ୍କ ସ୍ତ୍ରୀ ନୀରବ ହୋଇଯାଇଥିବାବେଳେ ହତ୍ୟା ଘଟଣାକୁ ନେଇ ସେ କିଛି କହିପାରୁନାହାନ୍ତି। କେବଳ ତାଙ୍କର କେହି ଶତ୍ରୁ ନ ଥିବା କହୁଛନ୍ତି। ସେହିପରି ପୁଅ ସ୍ବରୂପ ପଣ୍ଡା କହିଛନ୍ତି, ବାପା କେବେ ଚାପରେ ନ ଥିଲେ, ସେ ଜଣେ ଭଲ ମଣିଷ ଥିଲେ। ଭଲ ଆଇନଜୀବୀ ହିସାବରେ ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ୁଥିଲେ। କିନ୍ତୁ ତାଙ୍କ ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ନ୍ୟାୟ ନ ମିଳିବା ଆଶ୍ଚର୍ଯ୍ୟ କରିଛି। ତାଙ୍କୁ ଯିଏ ମାରିଛି, ଫାସି ଦିଆଯାଉ। ବାପା ଯେଉଁ ଖାଦ୍ୟ ଆଣିଥିଲେ ତାହା ଏବେ ସୁଦ୍ଧା ପଡିରହିଛି ବୋଲି ସ୍ବରୂପ କହିଛନ୍ତି। ଅନ୍ୟପକ୍ଷରେ ପୀତବାସଙ୍କ ହତ୍ୟା ପରେ ପରିବାର ଲୋକେ ଏବେ ଭୟରେ ରହିଛନ୍ତି। ବାସ୍ତବରେ ଅପରାଧିଙ୍କୁ ଧରାଯିବ ନା ତାଙ୍କୁ ଖସାଇ ଦିଆଯାଇ ଆଉ କାହାକୁ ଧରିଆଣି ଅପରାଧୀ ସଜାଯିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।ବ୍ରହ୍ମପୁର ପୋଲିସ ଜିଲାର କେବଳ ବ୍ରହ୍ମପୁର ସହରରେ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ୧୦ ଜଣଙ୍କୁ ହତ୍ୟା କରାଗଲାଣି। ଏସବୁ ହତ୍ୟା ଘଟଣା ଭିତରୁ ୩ଟି ଘଟଣାର ଅଭିଯୁକ୍ତଙ୍କୁ ଆଜି ସୁଦ୍ଧା ପୋଲିିସ ଧରିପାରିନାହିଁ। ସେହିପରି ଗୋଟିଏ ହତ୍ୟା ଉଦ୍ୟମ ଘଟଣାରେ ମଧ୍ୟ କାହାକୁ ଗିରଫ କରିନାହିଁ। ବୈଦ୍ୟନାଥପୁର ଥାନା ଜେଲ କଡରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଥିଲା। ତାହା ଏକ ସୁପରିକଳ୍ପିତ ହତ୍ୟା ବୋଲି ପୋଲିସ ଜାଣିବାକୁ ପାଇଥିଲା। କିନ୍ତୁ ଏଯାଏଁ ସେହି ଘଟଣାରେ କାହାକୁ ଧରିପାରିନାହିଁ। ସେହିପରି କିଛିମାସ ତଳେ ବଡ଼ବଜାର ଥାନା ଲକ୍ଷ୍ମୀ ନୃସିଂହ ସାହିରେ ଜଣେ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀଙ୍କୁ ହତ୍ୟା କରାଗଲା। ସେହି ଘଟଣାରେ ବି କେହି ଧରାପଡିନାହାନ୍ତି।

Breaking News