ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ନୋଏଡାର ବିଭିନ୍ନ ଅଞ୍ଚଳରେ ଦରମା ବୃଦ୍ଧି ଦାବି କରି ଅନେକ କମ୍ପାନୀର କର୍ମଚାରୀ ରାସ୍ତାକୁ ଓହ୍ଲାଇଛନ୍ତି। ଗତ ତିନିରୁ ଚାରି ଦିନ ଧରି ଚାଲିଥିବା ଏହି ପ୍ରତିବାଦ ଆଜି ହିଂସାତ୍ମକ ରୂପ ନେଇଛି। ଉତ୍ତ୍ୟକ୍ତ କର୍ମଚାରୀମାନେ ଅନେକ ପ୍ରମୁଖ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏପରିକି ପ୍ରତିବାଦକାରୀମାନେ ଯାନବାହାନ ଜାଳିଦେବା ସହ ପୋଲିସ ଉପରେ ଢେଲା ପଥର ମାଡ କରିଥିବା ଦେଖିବାକୁ ମିଳିଛି। ଫଳରେ ଉତ୍ତ୍ୟକ୍ତ ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି। ଆନ୍ଦୋଳନକାରୀମାନେ ମଦ୍ରାସନ୍ କମ୍ପାନୀ ନିକଟରେ ପ୍ରାୟ ଚାରୋଟି ଗାଡ଼ି ପୋଡ଼ି ଦେଇଥିବା ସୂଚନା ମିଳିଛି। ଗତ ତିନିରୁ ଚାରି ଦିନ ଧରି କର୍ମଚାରୀମାନେ ସେମାନଙ୍କର ଦାବି ପୂରଣ ପାଇଁ ରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ଦରମା ୧୩,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରିବା, ଓଭରଟାଇମ୍ ପ୍ରଦାନ କରିବା ଏବଂ ଛୁଟି ପାଇଁ ପୃଥକ ବ୍ୟବସ୍ଥା ନେଇ କର୍ମଚାରୀମାନେ ଦାବି କରିଆସୁଛନ୍ତି। ୯ ନଂ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରାଯାଇ ଏଠାରେ ବହୁ ସଂଖ୍ୟକ ଶ୍ରମିକ ଏକତ୍ରିତ ହୋଇଛନ୍ତି। ସମସ୍ତ ପ୍ରମୁଖ ରାସ୍ତା ଗୁଡିକ ଜାମ୍ ହୋଇଛି। ନୋଏଡାର ଶିଳ୍ପ ଅଞ୍ଚଳକୁ ଏବଂ ସେଠାରୁ ଯାଉଥିବା ଅନେକ ରାସ୍ତା ବନ୍ଦ କରାଯାଇଛି।






More Stories
ଗଣତନ୍ତ୍ରକୁ ସୁଦୃଢ କରିଛି ନାରୀଙ୍କ ଭାଗିଦାରୀ…..
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..