ରିପୋର୍ଟ କାର୍ଡ / କଟକ
ସରକାରୀ ସ୍କୁଲରେ ଶିକ୍ଷକ ବଦଳି ପାଇଁ ଏମ୍ପି, ଏମ୍ଏଲ୍ଏ ସୁପାରିଶ କରିପାରିବେ ନାହିଁ। ଏଭଳି ସୁପାରିଶ ଦ୍ୱାରା ପ୍ରଶାସନିକ ଓ ଶିକ୍ଷା ବ୍ୟବସ୍ଥାରେ ଅନାବଶ୍ୟକ ରାଜନୈତିକ ହସ୍ତକ୍ଷେପ ହେବ। ତେଣୁ ରାଜ୍ୟ ସରକାରଙ୍କ ଚାକିରୀ ନିୟମାବଳି ଅନୁଯାୟୀ, ସରକାରୀ ସ୍କୁଲରେ ଶିକ୍ଷକ ବଦଳି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ହାଇକୋର୍ଟ ବିଚାରପତି ଦୀକ୍ଷିତ କୃଷ୍ଣ ଶ୍ରୀପଦ ଏହି ସଂକ୍ରାନ୍ତିୟ ଏକାଧିକ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୫ ମେ ୧୩ ତାରିଖରେ ଜାରି ନିର୍ଦ୍ଦେଶନାମାକୁ ଗୁରୁବାର ଖାରଜ କରିଦେଇଛନ୍ତି। ଏଥିସହ ଏହି ମାମଲାରେ ହାଇକୋର୍ଟ ଶିକ୍ଷକ ବଦଳି ଉପରେ ଗତ ଜୁଲାଇ ମାସରେ ଦେଇଥିବା ଅନ୍ତରୀଣ ରହିତାଦେଶ ଏବେ ସ୍ଥାୟୀ ହୋଇଯାଇଛି।ତେବେ ବଦଳି ହୋଇସାରିଥିବା ଶିକ୍ଷକମାନେ ଚଳିତ ଶିକ୍ଷା ବର୍ଷ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଶିକ୍ଷା ବର୍ଷ ଶେଷ ପରେ ସେମାନେ ନିଜର ପୂର୍ବ ସ୍କୁଲକୁ ଫେରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।ମାମଲାର ବିବରଣୀ ଅନୁସାରେ, ରାଜ୍ୟରେ ଶିକ୍ଷକ ବଦଳି ପାଇଁ ୨୦୨୫ମେ ୧୩ରେ ସରକାର ଏକ ନିର୍ଦେଶନାମା ଜାରି କରିଥିଲେ। ଏମ୍ପି, ଏମ୍ଏଲ୍ଏମାନେ ୧୫ଜଣ ପର୍ଯ୍ୟନ୍ତ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିବେ। ସେଇ ସୁପାରିଶ ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ବଦଳି କାର୍ଯ୍ୟକାରୀ କରିବେ ବୋଲି ଉକ୍ତ ନିର୍ଦେଶନାମାରେ ସ୍ପଷ୍ଟ କରାଯାଇଥିଲା।ନିର୍ଦ୍ଦେଶନାମା ଅନୁସାରେ ବଦଳି ଆଶାୟୀ ଶିକ୍ଷକମାନେ ଏମ୍ପି, ଏମ୍ଏଲ୍ଏଙ୍କ ନିକଟରେ ସେମାନଙ୍କ ଆବେଦନ ପତ୍ର ଦାଖଲ କରିଥିଲେ। ଏଥିପାଇଁ ବହୁ ଭାବରେ ଲବି ମଧ୍ୟ ଆରମ୍ଭ ହୋଇଯାଇଥିଲା। କେତେକାଂଶରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ନିର୍ଦ୍ଦେଶନାମାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ମାମଲାର ପ୍ରାଥମିକ ଶୁଣାଣି କରି ନିର୍ଦ୍ଦେଶନାମା ଉପରେ ଅନ୍ତରୀଣ ରହିତାଦେଶ ଲାଗୁ କରିଥିଲେ।






More Stories
ସଂସଦରେ ଡ୍ରାମା କରନାହିଁ…..
ଅତିରିକ୍ତ ବଜେଟ ଓଡ଼ିଶାବାସୀଙ୍କ ଆଶାକୁ ଧୂଳିସାତ କରୁଛି…..
ବଢିଲା ଆତ୍ମସମର୍ପଣ ରାଶି…..