ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ନିଶ୍ୱାସ ନେବା କଷ୍ଟକର ହୋଇପଡୁଛି | ବାୟୁ ପ୍ରଦୂଷଣ କମିବାର ନାଁ ନେଉନାହିଁ । ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖିଛି ଧୂଆଁ ସାଙ୍ଗକୁ କୁହୁଡ଼ି। ଫଳରେ ରାସ୍ତାଘାଟ ଦେଖାଯାଉ ନ ଥିବାବେଳେ ଲୋକେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅଲନାଇଲନରେ କ୍ଲାସ୍ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଅନଲାଇନ୍ କ୍ଲାସ୍ ଚାଲିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି। ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ୍ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ତିନି ଦିନ ହେବ ଦିଲ୍ଲୀର ବାୟୁ ଗୁଣବତ୍ତା ନିମ୍ନସ୍ତରକୁ ଖସି ଆସିଛି। ଏୟାର୍ କ୍ୱାଲିଟି ଇଣ୍ଡେକ୍ସ (AQI) ବା ବାୟୁ ଗୁଣବତ୍ତା ସୂଚକାଙ୍କ 498ରେ ପହଞ୍ଚିଛି, ଯାହା ଅତ୍ୟନ୍ତ ଖରାପ। IQAir (ଏକ ସ୍ୱିସ୍ କମ୍ପାନୀ) ରିପୋର୍ଟ ଅନୁସାରେ, ଆଜି ସକାଳ ୭ଟା ସୁଦ୍ଧା ଦିଲ୍ଲୀ ହେଉଛି ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର। ପ୍ରଥମରେ ପାକିସ୍ତାନର ଲାହୋର ରହିଛି। ଲାହୋରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୭୭୯। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମୀର ଆପ୍ ଅନୁଯାୟୀ, ଆଜି ସକାଳେ ଦିଲ୍ଲୀର ପାଞ୍ଚଟି ସହରରେ ପ୍ରଦୂଷଣର ମାତ୍ରା ସର୍ବାଧିକ ରହିଛି। ଜାହାଙ୍ଗୀରପୁରୀ (AQI ୪୫୮), ବାୱାନା (୪୫୫), ୱାଜିରପୁର (୪୫୫), ରୋହିଣୀ (୪୫୨) ଏବଂ ପଞ୍ଜାବୀ ବାଗ (୪୪୩)ରେ ପହଞ୍ଚିଛି। ସେପଟେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜିଠାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଅନାବଶ୍ୟକ ନିର୍ମାଣ ଓ ଉଚ୍ଛେଦ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ, ଫରିଦାବାଦ ଓ ଗୌତମବୁଦ୍ଧ ନଗରରେ ଜିଆରଏପି-୩ ଲାଗୁ ହୋଇଥିବାରୁ ପେଟ୍ରୋଲ ଚାଳିତ ବିଏସ୍-୩ ଓ ଡିଜେଲ ଚାଳିତ ବିଏସ-୪ ବର୍ଗର ଗାଡ଼ି ଚାଳନା ଉପରେ ରୋକ୍ ଲଗାଯାଇଛି। କିନ୍ତୁ ଜାତୀୟ ସୁରକ୍ଷା, ସ୍ୱାସ୍ଥ୍ୟ ଓ କିଛି ନିର୍ଦ୍ଦିଷ୍ଟ ସର୍ବସାଧାରଣ ନିର୍ମାଣ ଉପରେ କୌଣସି କଟକଣା ରଖାଯାଇ ନାହିଁ। ପରିବେଶରେ ଉଡ଼ୁଥିବା ଧୂଳି କଣାକୁ ରୋକିବା ପାଇଁ ଜିଆରଏପି-୩ର ତୃତୀୟ ପର୍ଯ୍ୟାୟରେ ରାସ୍ତା ସଫା କରିବା ପାଇଁ ଅତ୍ୟାଧୁନିକ ମେସିନ ଓ ପାଣି ସିଞ୍ଚନ ବ୍ୟବସ୍ଥା ହେବ। ଜରୁରୀ ସେବାକୁ ଛାଡ଼ି ଦେଲେ ଡିଜେଲ ଚାଳିତ ଜେନେରଟର ବ୍ୟବହାର ହୋଇପାରିବ ନାହିଁ। ବଡ଼ ବଡ଼ ୱେଲ୍ଡିଂ ଓ ଗ୍ୟାସ କଟିଂ ଉପରେ ରୋକ୍ ଲଗାଯାଇଛି। କିନ୍ତୁ ମେକାନିକାଲ, ଇଲେକ୍ଟ୍ରିକାଲ ଓ ପାଣି ପାଇପ ଜନିତ ଛୋଟ ଛୋଟ ଛୋଟ ୱେଲ୍ଡିଂକୁ କଟକଣାରୁ ବାଦ୍ ଦିଆଯାଇଛି। ସେହିପରି ପେଣ୍ଟିଂ, ପଲିଶିଂ ଓ ରଙ୍ଗ ଲିଭା କାର୍ଯ୍ୟ ହୋଇପାରିବ ନାହିଁ। ଘର ଭିତରେ ଛୋଟ ଧରଣର ସିମେଣ୍ଟ ଓ ରଙ୍ଗ ଦେବା କାମ କରାଯାଇ ପାରିବ। ଦିଲ୍ଲୀରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଗାଡ଼ି-ମୋଟରରୁ ନିର୍ଗତ ଧୂଆଁ ସାଙ୍ଗକୁ ଆଖପାଖ ଅଞ୍ଚଳରେ ନଡ଼ା ଜାଳିବା, ନିର୍ମାଣ କାର୍ଯ୍ୟ, ଶିଳ୍ପ ପ୍ରଦୂଷଣ ଇତ୍ୟାଦି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ବିଭିନ୍ନ ପଦକ୍ଷେପ ନେଉଥିଲେ ବି ସ୍ଥିତିରେ ସୁଧାର ଆସି ପାରୁନାହିଁ।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..