Report Card Odisha

| Daily Odia News

ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରବାସୀ ଭାରତୀୟ ଦିବସ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ବର୍ଷ ଜାନୁଆରୀ ୮ରୁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରବାସୀ ଭାରତୀୟ ଦିବସ। ଜନତା ମୈଦାନରେ ୩ ଦିନ ଧରି ଚାଲିବ ଏହି ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ। ସମାରୋହ ଆୟୋଜନ ପାଇଁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ୱେବସାଇଟ ଲଞ୍ଚିଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଭବନସ୍ଥିତ ସିବି ମୁଥାମା ହଲରେ ୱେବ୍‌ସାଇଟ୍‌ ଉନ୍ମୋଚିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ଭାରତର ବିକାଶରେ ପ୍ରବାସୀ ଭାରତୀୟଙ୍କ ଅବଦାନକୁ ସ୍ୱୀକୃତି ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ୨୦୨୫ ପ୍ରବାସୀ ଭାରତୀୟ ଦିବସ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ସାରା ବିଶ୍ୱରୁ ଓଡ଼ିଶାକୁ ଅତିଥିମାନଙ୍କର ଭବ୍ୟ ଆଗମନ ହେବ। ସେମାନେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ସହ ଯୋଡ଼ିହେବାର ସୁଯୋଗ ପାଇବେ। ସେହି ସମୟରେ ଆମେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବୁ। ପୁଷ୍ପ ପ୍ରଦର୍ଶନୀ, ଫୁଡ ଫେଷ୍ଟିଭାଲ କରି ଅତିଥିଙ୍କୁ ଆପ୍ୟାୟିତ କରିବୁ। ଅତିଥିଙ୍କ ରହିବା, ଯାତାୟାତ, ସୁରକ୍ଷା ଆଦି ବିଷୟକୁ ଗୁରୁତ୍ୱ ଦେଉଛୁ। ପ୍ରବାସୀ ଭାରତୀୟ ଦିବସକୁ ସ୍ମରଣୀୟ କରିବା ଆମର ଲକ୍ଷ୍ୟ। ସାରା ବିଶ୍ୱରେ ଆମ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ପ୍ରମୁଖ ଭୂମିକା ନେବ। ଉଲ୍ଲେଖଯୋଗ୍ୟ, ୧୯୧୫ ମସିହା ଜାନୁଆରୀ ୯ ତାରିଖରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିଲେ। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ‘ପ୍ରବାସୀ ଭାରତୀୟ ଦିବସ’ ୨୦୦୩ରୁ ପାଳନ କରାଯାଉଛି। ୨୦୧୫ରୁ ଏହା ପ୍ରତି ୨ବର୍ଷରେ ଥରେ ଅନୁଷ୍ଠିତ ହେଉଛି। ଅଦ୍ୟାବଧି ୧୭ଥର ଏହା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇସାରିଛି। ଗତବର୍ଷ ମଧ୍ୟପ୍ରଦେଶର ଇନ୍ଦୋରରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ। ଏହି ଅବସରରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୟଶଙ୍କର ଭାରତୀୟ ପ୍ରବାସୀଙ୍କ ଅବଦାନକୁ ଉଲ୍ଲେଖ କରିଥିଲେ। ୨୦୪୭ ସୁଦ୍ଧା ବିକଶିତ ଭାରତର ଯେଉଁ ଲକ୍ଷ୍ୟ ରହିଛି ସେଥିରେ ଭାରତୀୟ ପ୍ରବାସୀଙ୍କ ଭୂମିକା ଯଥେଷ୍ଟ ରହିବ। ପ୍ରବାସୀ ଭାରତୀୟ ଦିବସ ପଞ୍ଜୀକରଣ ପାଇଁ ୱେବ୍‌ସାଇଟ୍‌ରେ ପ୍ରଦତ୍ତ ତଥ୍ୟ ବିଶେଷ ସହାୟକ ହେବ। ୱେବ୍‌ସାଇଟ୍‌ ଲୋକାର୍ପଣ ସହ ପ୍ରବାସୀ ଭାରତୀୟ ଦିବସ ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଦିବସ ପାଇଁ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ପଞ୍ଜୀକରଣ ପାଇଁ ଶ୍ରୀ ଜୟଶଙ୍କର ନିବେଦନ କରିଥିଲେ। ସମୃଦ୍ଧ କଳା ପରମ୍ପରାକୁ ଜାଣିବା ପାଇଁ ଭୁବନେଶ୍ବର ଏକ ଉତ୍କୃଷ୍ଟ ସ୍ଥାନ। ମନ୍ଦିରମାଳିନୀ ଭୁବନେଶ୍ବର ସହର ପ୍ରବାସୀ ଭାରତୀୟ ଦିବସର ପ୍ରତିନିଧିମାନଙ୍କ ପାଇଁ ଅନନ୍ୟ ଅନୁଭୂତି ହେବ ବୋଲି ଶ୍ରୀ ଜୟଶଙ୍କର କହିଥିଲେ। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଦିବସ ପାଳନ ଜରିଆରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବା ନେଇ ଭାରତ ସରକାରଙ୍କ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ପ୍ରବାସୀ ଭାରତୀୟଙ୍କ ଯୋଗଦାନକୁ ଉପରୋକ୍ତ ଦିବସ ପାଳନ ଜରିଆରେ ପ୍ରୋତ୍ସାହିତ କରିବା ନେଇ ଭାରତ ସରକାରଙ୍କ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। ପୂର୍ବ ପ୍ରବାସୀ ଭାରତୀୟ ଦିବସ ପାଳନର ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଭାସି ଜରିଆରେ ବିଭିନ୍ନ ଦେଶର ଇଣ୍ଡିଆନ୍‌ ମିସନ୍‌ ଯୋଡ଼ି ହୋଇଥିଲେ। ଏଥିରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ଓଡ଼ିଶା ସରକାରଙ୍କ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Breaking News