ରିପୋର୍ଟ କାର୍ଡ / ରାଉରକେଲା
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ ଓଡିଶା ଆସୁଛନ୍ତି | ରାଷ୍ଟ୍ରପତି ଭାବରେ ରାଉରକେଲା ଗସ୍ତ ପ୍ରଥମ । ସେ ଏଠାରେ ୫ ଘଣ୍ଟା ରହିବେ। ଏହି ପାଞ୍ଚ ଘଣ୍ଟାର ରହଣିରେ ରାଷ୍ଟ୍ରପତି ୧୫୮ କୋଟିର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିବେ। କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସ୍ଥାନୀୟ ଗଣମାଧ୍ୟମକୁ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଓରାମ ସୂଚନା ଦେଇ କହିଛନ୍ତି ଯେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ବିମାନ ଯୋଗେ ଆସି ଝାରସୁଗୁଡ଼ାରେ ଅବତରଣ କରିବେ। ସେଠାରୁ ହେଲିକପ୍ଟରରେ ରାଉରକେଲା ଆସି ଦିନ ପ୍ରାୟ ୧୧.୧୦ରେ ପହଞ୍ଚି ଅପରାହ୍ନ ୪ରେ ବିଦାୟ ନେବେ। ଏହି ୫ ଘଣ୍ଟାର ରହଣି କାଳରେ ସେ ପାନପୋଷ ହକି ଛକ ପାଖରେ ପ୍ରାୟ ୪୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଓ ସେହି ପରିସରରେ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ ଉଦ୍ଘାଟନ କରିବେ। ଛେଣ୍ଡ କଲୋନୀ ବିଏସ୍ଏନ୍ଏଲ୍ ଛକରେ ୨୭ କୋଟି ଟଙ୍କାର ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମକୁ ରାଷ୍ଟ୍ରପତି ଉଦ୍ଘାଟନ କରିବେ। କୋଏଲନଗରରେ ପ୍ରାୟ ୪୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କୋଏଲ ନଦୀ କୂଳ ମନୋରଞ୍ଜନ ପାର୍କକୁ ମଧ୍ୟ ରାଷ୍ଟ୍ରପତି ଉଦ୍ଘାଟନ କରିବେ। ସେକ୍ଟର-୧୩ ମେଲଣ ପଡ଼ିଆରେ ଏକ ସାର୍ବଜନୀନ ସଭାକୁ ସେ ସମ୍ବୋଧନ କରିବେ। ଏହି ସମାବେଶରେ ସୁନ୍ଦରଗଡ଼ ଜିଲାର ୧୦ ହଜାରରୁ ଅଧିକ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯୋଗଦେବେ। ୩୫ରୁ ଅଧିକ କଳାକାର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।






More Stories
ବଢ଼ିବ ତାତି: ପାରଦ ଟପିବ ୪୩ ଡିଗ୍ରୀ…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ପ୍ରଭାତୀଙ୍କ ବିରୁଦ୍ଧରେ ଏକାଠି ହେଲେ ସମୀରଙ୍କ ଗୋଷ୍ଠୀ……