Report Card Odisha

| Daily Odia News

ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ….

ରିପୋର୍ଟ କାର୍ଡ / ରାଇରଙ୍ଗପୁର

ଚଳିତ ନଭେମ୍ବର ୨୦ ଓ ୨୧ ତାରିଖ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରକୁ ଦ୍ୱିତୀୟ ଥର ଗସ୍ତରେ ଆସୁଛନ୍ତି । ଯଦିଓ ରାଷ୍ଟ୍ରପତି ଭବନରୁ ଜିଲ୍ଲା ପ୍ରଶାସନକୁ ଏନେଇ ଅଦ୍ୟାବଧି କୌଣସି ବିଦ୍ଧିବଦ୍ଧ ସୂଚନା ଆସିନାହିଁ | ତଥାପି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଓ ରାଜ୍ୟ ବିଜେପି ସମ୍ପାଦକ ନବୀନ କୁମାର ରାମ ଏଭଳି ଗସ୍ତ ନେଇ ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ରାଷ୍ଟ୍ରପତି ଆସନ୍ତା ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚି ସାନ୍ତାଳୀ ରାଇଟର୍ସ ଏସୋସିଏସନର ଏକ ସ୍ୱତନ୍ତ୍ର ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ହେଲିକପ୍ଟର ଯୋଗେ ରାଇରଙ୍ଗପୁରରେ ପହଞ୍ଚିବେ। ରାଇରଙ୍ଗପୁରରେ ସ୍ଥାନୀୟ ଲୋକଙ୍କୁ ଭେଟିବେ ଓ ରାତ୍ରି ଯାପନ କରିବେ। ୨୧ ସକାଳେ ଶ୍ରୀମତୀ ମୁର୍ମୁ ବାଦାମପାହାଡ ଗସ୍ତରେ ଯିବେ। ପୂର୍ବରୁ ପୂଜା ଭେଟି ସ୍ୱରୂପ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଦାମପାହାଡରୁ ଶାଲିମାର, ବାଦାମପାହାଡରୁ ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଟ୍ରେନ୍ ଓ ବାଦାମପାହାଡରୁ ଟାଟାନଗର ଦୈନିକ ଟ୍ରେନ ଚଳାଚଳ ନେଇ ଘୋଷଣା କରିଥିଲେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାଦାମପାହାଡରେ ରେଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ। ଏଥିପାଇଁ ଦକ୍ଷିଣ ପୂର୍ବ ରେଳ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ତାଙ୍କ ଦ୍ୱାରା ସ୍ଥାପିତ ଏସଏଲଏସ ଟ୍ରଷ୍ଟ ଆବାସିକ ବିଦ୍ୟାଳୟ ନିକଟରେ ଥିବା ଏଲଏଣ୍ଡଟି କମ୍ପାନୀ ସ୍ଥାପିତ ଦକ୍ଷତା ବିକାଶ କେନ୍ଦ୍ରକୁ ଆଭାସୀ ଜରିଆରେ ଲୋକାର୍ପଣ କରାଯିବ। ବାଦାମପାହାଡରେ ରେଳବାଇ ବିଭାଗର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀରେ ରାଷ୍ଟ୍ରପତି ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।

Breaking News