Report Card Odisha

| Daily Odia News

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଞ୍ଚିବେ। ଭୁବନେଶ୍ୱରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ | ରାଷ୍ଟ୍ରପତି ରାଜଭବନରେ ରାତ୍ରି ଯାପନ କରିବେ। ଆସନ୍ତାକାଲି ଜୁଲାଇ ୭ ତାରିଖ ସକାଳୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପୁରୀ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ରଥଯାତ୍ରାରେ ସେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ୮ତାରିଖ ସକାଳୁ ପୁରୀ ସମୁଦ୍ର ବେଳାଭୂମିରେ ପ୍ରାତଃଭ୍ରମଣ କରିବେ। ଏହାପରେ ସେ ଭୁବନେଶ୍ୱର ଫେରି ପୂର୍ବାହ୍ନରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ବିଭୂତି କାନୁନଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ ରାଷ୍ଟ୍ରପତି |ସେହିଦିନ ରାଷ୍ଟ୍ରପତି ଭୁବନେଶ୍ୱର ନିକଟସ୍ଥ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଦିବ୍ୟ ରିଟ୍ରିଟ କେନ୍ଦ୍ର ଉଦଘାଟନ କରିବା ସହ ସ୍ଥାୟୀତ୍ୱ ପାଇଁ ଜୀବନଶୈଳୀ ଅଭିଯାନର ଶୁଭାରମ୍ଭ କରିବେ | ଜୁଲାଇ ୯ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ | ଅପରାହ୍ନରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତାଙ୍କ ରୁଟକୁ ନୋ ଫ୍ଲାଇଙ୍ଗ ଜୋନ କରାଯିବ। ତାଙ୍କ ଗସ୍ତ ରାସ୍ତାକୁ ସିଲ୍ କରାଯିବ। ରାଷ୍ଟ୍ରପତିଙ୍କ ସୁରକ୍ଷାରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୁଲିସ ଟିମ୍ ବି ମୁତୟନ ହେବେ । ରୁଫ ଟପ୍ ସାର୍ପ ସୁଟର ସ୍ନାଇପର ସଜାଗ ରହିବେ।

Breaking News