Report Card Odisha

| Daily Odia News

ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / କଟକ

ଆସନ୍ତାକାଲିଠାରୁ ତିନିଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ସେଠାରୁ ରାଜଭବନ ଯିବେ। ଉକ୍ତଦିନ ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ର ଯାପନ କରିବେ। ତା’ପର ଦିନ ଅଥବା ୨୬ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ସେହିଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ। ୨୭ତାରିଖରେ ଭୁବନେଶ୍ୱରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବା ସହ ଭଦ୍ରକ ଯାଇ ଭଦ୍ରକ ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ। ଓଡ଼ିଶା ଗ୍ରସ୍ତ ନେଇ  କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ବ୍ଲୁ ବୁକ୍ ଗାଇଡଲାଇନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ଏସପି ରାଙ୍କ ଅଧିକାରୀ ରହିବେ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ  ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ଫାଇନାଲ ରିହରସିଆଲ କରାଯାଇଛି।

 

Breaking News