Report Card Odisha

| Daily Odia News

ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ମଙ୍ଗଳବାର ଯାଜପୁର ଅଭିମୁଖେ ଗସ୍ତ କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଯାଜପୁର ପ୍ରଶାସନିକ ପଡ଼ିଆଠାରେ ଅବତରଣ କରି ସେଠାରୁ ସିଧା ମା’ ବିରଜାଙ୍କ ଦର୍ଶନ କରିଛନ୍ତି। ମୁଣ୍ଡରେ ଓଢଣା ଦେଇ ସମ୍ପୂର୍ଣ୍ଣ ପାରମ୍ପରିକ ଓଡ଼ିଆ ଢଙ୍ଗରେ ସେ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ନାଭିଗୟାଠାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ। ମା’ ବିରଜାଙ୍କୁ ଦର୍ଶନ ପରେ ମନ୍ଦିର ପରିକ୍ରମା କରୁଥିବାର ଦେଖାଯାଇଥିଲା। ଯାଜପୁର ଗସ୍ତ ସମୟରେ ରାଷ୍ଟ୍ରପତିଙ୍କୁ ଶାନ୍ତିର ପ୍ରତୀକ ବୁଦ୍ଧ ମୂର୍ତ୍ତି ଉପହାର ଭେଟି ଦିଆଯାଇଥିଲା। ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଏହାପରେ ବାଲେଶ୍ୱର ଯାଇ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ଏକ ନୂଆ ଅଡିଟୋରିୟମ ଉଦ୍‌ଘାଟନ କରିବେ। ଏହାପରେ ସେ ସିଧାସଳଖ ପୁରୀ ଅଭିମୁଖେ ଗସ୍ତ କରିବେ। ପୁରୀ ଲୋକଭବନରେ ସେ ରାତ୍ରିଯାପନ କରି ସକାଳୁ ଶ୍ୱେତଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ କରିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ସେ ମୟୂରଭଞ୍ଜ ଅଭିମୁଖେ ଗସ୍ତ କରିବେ। ସେଠାରେ କେତେକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ଅବସରରେ ତାଙ୍କ ସହିତ ଯୋଗଦେବେ। ୬ ତାରିଖରେ ଆଦିବାସୀ ସମ୍ପ୍ରଦାୟର ମହିଳା ଏବଂ ଯୁବକମାନଙ୍କ ସହିତ ବାର୍ତ୍ତାଳାପ କରି ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ୭ ତାରିଖରେ ସେ ଛତିଶଗଡ଼ ଅଭିମୁଖେ ଗସ୍ତ କରିବେ। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର, ଯାଜପୁର, ବାଲେଶ୍ୱର ଏବଂ ପୁରୀଠାରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ରାଜଧାନୀରେ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Breaking News