ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରବାସୀ ଭାରତୀୟ ସମ୍ମିଳନୀ ଯୋଗଦେବା ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ। ଆସନ୍ତାକାଲି ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ମୋଦି। ଆସିବା ଆଗରୁ ପ୍ରଧାନମନ୍ତ୍ରୀ ସୋଶାଲ ମିଡ଼ିଆ ଏକ୍ସରେ ଏ ନେଇ ସୂଚନା ଦେଇଛନ୍ତି। ପ୍ରବାସୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମୈଦାନ। ରାଜଧାନୀରେ ଜମିଲାଣି ଭିଭିଆଇପିଙ୍କ ଭିଡ଼ । ପ୍ରାୟ ୭୦ରୁ ଅଧିକ ଦେଶରୁ ଭୁବନେଶ୍ୱରକୁ ଆସିଛନ୍ତି ମୂଳ ଭାରତୀୟ ନାଗରିକ। ପ୍ରବାସୀଙ୍କ ଆତିଥ୍ୟ ପାଇଁ ପୂରା ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ସେମାନଙ୍କ ମନୋରଞ୍ଜନ ନିମନ୍ତେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ଭିନ୍ନ ଭିନ୍ନ ଇଭେଣ୍ଟର ଆୟୋଜନ ହୋଇଛି। ସବୁରି ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି ଆଉ ପରମ୍ପରା ପ୍ରସାର କରିବା ହେଉଛି ମୂଳ ଉଦ୍ଦେଶ୍ୟ। ଏକାମ୍ର ପାର୍କରେ ଆୟୋଜନ ହୋଇଛି ୫ଦିନିଆ ପୁଷ୍ପ ପ୍ରଦର୍ଶନୀ। ଭଳିକି ଭଳି ଫୁଲର ସମ୍ଭାର ସହ ପ୍ରବାସୀଙ୍କୁ ଆକର୍ଷଣ କରିବ କାକଟସ ହାଉସ। ସେପଟେ ଆରମ୍ଭ ହୋଇଛି ପାର୍କ ଫେଷ୍ଟିଭାଲ। ବିଭିନ୍ନ ପାର୍କରେ ମ୍ୟୁଜିକ ଫାଉଣ୍ଟେନ୍ ଏବଂ ଲେଜର ଶୋ ଜରିଆରେ ରାଜ୍ୟର କଳା ସାହିତ୍ୟ ସଂସ୍କୃତି , ପରମ୍ପରା ଆଦି ପ୍ରଦର୍ଶିତ ହେଉଛି। ରାଜ୍ୟ ସଂଗ୍ରହାଳୟ ମଧ୍ୟ ରାତି ୯ଟା ଯାଏଁ ଖୋଲିବାକୁ ନିଷ୍ପତ୍ତି ହୋଇଛି। ପ୍ରବାସୀଙ୍କ ପାଇଁ ସଂଗ୍ରହାଳୟରେ ଆଉ ୯ଟି ଗ୍ୟାଲେରୀର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁଥିରେ ରହିଛି ଓଡ଼ିଶାର ହାତୀଦାନ୍ତ ଗ୍ୟାଲେରୀ, ପ୍ରାଣୀବିଜ୍ଞାନ, ଖଣି ଏବଂ ଭୂତତ୍ତ୍ୱ, କଣ୍ଢେଇ, ଓଡିଶା ଜନଜାତି ଏବଂ ହସ୍ତତନ୍ତ ଗ୍ୟାଲେରୀ। ଏଣେ ପ୍ରବାସୀଙ୍କ ପାଇଁ ଇ-ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁଥିରେ ୫ଟି ଡବଲ ଡେକର ବସ, ୧୦ଟି ହଫ୍ ଅନ୍ ହଫ ଅଫ୍ ବସ୍ ଓ ୨୫ଟି ଶ୍ରୀମନ୍ଦିର ପ୍ରଶାସନର ବସ୍ ଚାଲିବ। ସେପଟେ ୧୧ ତାରିଖ ଯାଏଁ ରାଜାରାଣୀ ମନ୍ଦିର ଠାରେ ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ୱର ମନ୍ଦିରରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ-୨୦୨୫ ଏବଂ ରାଜ୍ୟ ସଂଗ୍ରହାଳୟ ଠାରେ ଲୋକ ନୃତ୍ୟ ଉତ୍ସବର ଆୟୋଜନ କରାଯାଇଛି। ଅନ୍ୟପଟେ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ଦେବ ପ୍ରବାସୀଙ୍କୁ ରାଜ୍ୟ ଏବଂ ଦେଶର ଜନଜାତି କଳା ସଂସ୍କୃତିର ଜ୍ଞାନ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..