Report Card Odisha

| Daily Odia News

‘ଜି-୨୦’ର ଅଧ୍ୟକ୍ଷତା ଆମ ପାଇଁ ଏକ ସୁଯୋଗ ଓ ଗୌରବର କଥା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ‘ମନ୍‌ କୀ ବାତ୍‌’ର ୯୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି | କହିଛନ୍ତି କି ‘ଜି୨୦’ର ଅଧ୍ୟକ୍ଷତା ଆମ ପାଇଁ ଏକ ସୁଯୋଗ ଓ ଗୌରବର କଥା | ସୁଦୂର ତେଲେଙ୍ଗାନାରୁ ଆସିଥିବା ଗୋଟାଏ ବିଶେଷ ଉପହାର ପ୍ରସଙ୍ଗ ଦର୍ଶାଇ ପ୍ରଧାନମନ୍ତ୍ରୀ ‘ମନ୍‌ କୀ ବାତ୍‌’ ଆରମ୍ଭ କରିଥିଲେ।ଏକ ବିଶ୍ବ ଏକ ପ୍ରତିବଦ୍ଧତା ପାଇଁ ଆମର ପ୍ରତିବଦ୍ଧତାକୁ ଆମର ମନ୍ତ୍ର ‘ବସୁଧୈବ କୁଟୁମ୍ବକମ୍‌’ ପ୍ରତିପାଦିତ କରୁଛି। ଭାରତ ‘ଜି୨୦’ ଅଧ୍ୟକ୍ଷତା ପାଇଥିବାରୁ ନିଜ ନିଜର ଆନନ୍ଦ ବ୍ୟକ୍ତ କରି ସମଗ୍ର ଦେଶରୁ ଅନେକ ଲୋକ ମୋ ନିକଟକୁ ପତ୍ର ଲେଖିଛନ୍ତି। ‘ଅମୃତକାଳ’ ଚାଲିଥିବା ବେଳେ ଭାରତ ଏଭଳି ଦାୟିତ୍ବ ପାଇଛି। ସେ ଶାନ୍ତି, ଏକତା ଅଥବା ନିରନ୍ତର ବିକାଶ ହେଉ ଆମକୁ ବିଶ୍ବ କଲ୍ୟାଣ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏ ସବୁ କ୍ଷେତ୍ରରେ ଥିବା ସମସ୍ୟା ନିମନ୍ତେ ଭାରତ ନିକଟରେ ସମାଧାନର ଉପାୟ ରହିଛି। ଆମେ ଏହାର ‘ଥିମ୍‌’ ରଖିଛୁ: ଏକ ବିଶ୍ବ, ଏକ ପରିବାର, ଏକ ବଭିଷ୍ୟତ। ଭାରତର ମହାକାଶ ପ୍ରଯୁକ୍ତିବିଦ୍ୟାର ବିକାଶକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଡ୍ରୋନ୍‌ ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତ ଉନ୍ନତି କରିଚାଲିଛି। ‘ବିକ୍ରମ-ଏସ୍‌’ ଉତ୍‌କ୍ଷେପଣ ସହିତ ମହାକାଶ କ୍ଷେତ୍ରରେ ଘରୋଇ ସଂସ୍ଥାନ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ବିତ କରିଛି। ଘରୋଇ କମ୍ପାନି ଏହାର ଡିଜାଇନ୍‌ ଓ ବିକାଶ କରିଛନ୍ତି। ଏଥିରେ କେତେଗୁଡ଼ିଏ ନୂଆ ବୈଶିଷ୍ଟ୍ୟ ରହିଛି।ଏଥିରେ ଭାରତ ଓ ଭୁଟାନ୍‌ ମିଳିତଭାବେ ନିର୍ମାଣ କରିଥିବା ଗୋଟାଏ ସାଟେଲାଇଟ୍‌ ମଧ୍ୟ ଉତ୍‌କ୍ଷେପଣ କରାଯାଇଛି। ଏହି ସାଟେଲାଇଟ୍‌ ଯେଉଁ ‘ହାଇରିଜୋଲ୍ୟୁସନ୍‌’ର ଚିତ୍ର ପଠାଇବ ତାହା ଭୁଟାନ୍‌ ପାଇଁ ଖୁବ୍‌ ଉପାଦେୟ ହେବ। ଏହି ସାଟେଲାଇଟ୍‌ ଉତ୍‌କ୍ଷେପଣ ଭାରତ ଓ ଭୁଟାନ୍‌ର ସୁଦୃଢ଼ ସମ୍ପର୍କର ସଙ୍କେତ। ଭାରତର ବାଦ୍ୟଯନ୍ତ୍ର ରପ୍ତାନି ବୃଦ୍ଧି ପାଇଛି ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଭାରତ ଆମେରିକା, ଇଂଲଣ୍ଡ୍‌ ଏବଂ ଅନ୍ୟ ଦେଶଗୁଡ଼ିକୁ ବାଦ୍ୟଯନ୍ତ୍ର ରପ୍ତାନି କରୁଛି। ଭାରତୀୟ ସଙ୍ଗୀତ କେବଳ ଆମ ସଂସ୍କୃତିକୁ ସମୃଦ୍ଧ କରିନାହିଁ, ବିଶ୍ବ ସଙ୍ଗୀତ ‌କ୍ଷେତ୍ରରେ ଅଲିଭା ଦାଗ ସୃଷ୍ଟି କରିଛି। ସୁଦୂର ଗୁୟାନାରୁ ଆସିଥିବା ଗୋଟାଏ ମ୍ୟୁଜିକ୍‌ କ୍ଲିପ୍‌ ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶୁଣାଇଥିଲେ। ଆମ ଦେଶ ବିଶ୍ବର ଆଦିମ ପ୍ରଥା ପରମ୍ପରାର ଆଗାର ବୋଲି ଆମେ ଗର୍ବ ଅନୁଭବ କରନ୍ତି। ତେଣୁ, ଏହି ପ୍ରାଚୀନ ସଂସ୍କୃତି ଓ ପ୍ରଥାର ସଂରକ୍ଷଣ ମଧ୍ୟ ଆମର ଦାୟିତ୍ବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେବଳ ସେତିକି ନୁହେଁ, ଏହାର ପ୍ରସାର ଓ ଅଗ୍ରଗତି ମଧ୍ୟ କରାଇବା ଉଚିତ। ଲୋକ ସଙ୍ଗୀତର ପ୍ରସାର ପାଇଁ ନାଗାଲାଣ୍ଡ୍‌ର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ ଉତ୍ତରପୂର୍ବାଞ୍ଚଳର ପ୍ରାଚୀନ କର୍ମକୁଶଳତା ଓ କଳାକୁ ମଧ୍ୟ ପ୍ରସଂଶା କରିଛନ୍ତି। ଶିକ୍ଷାଦାନ ସବୁଠୁ ବଡ଼ କାର୍ଯ୍ୟ ବୋଲି କହି ପ୍ରଧାନମନ୍ତ୍ରୀ ହାର୍ଦୋଇର ଜତୀନ୍‌ ସିଂହଙ୍କ ବିଷୟରେ କହିଛନ୍ତି। ଜତୀନ୍‌ ସିଂହ ପାଠାଗାରଟିଏ ଖୋଲିଛନ୍ତି, ଯେଉଁଠି ପିଲାଏ ଖେଳି ଖେଳି ପାଠ ପଢୁଛନ୍ତି। ବିଶ୍ବର ଚିକିତ୍ସା ବିଜ୍ଞାନ ଗବେଷଣା ଓ ଉଦ୍ଭାବନ ବଳରେ ଅନେକ ପ୍ରଗତି କରିଥିଲେ ବି ଅନେକ ରୋଗର ଚିକିତ୍ସା ବାହାରି ପାରିନାହିଁ। ସେ ଭଳି ଗୋଟାଏ ରୋଗ ହେଉଛି ମାଂସପେଶୀ ଦୁର୍ବଳତା। ତେଣୁ, ହିମାଚଳ ପ୍ରଦେଶର ମାନବ ମନ୍ଦିର ମାଂସପେଶୀ ଦୁର୍ବଳତାର ଚିକିତ୍ସା ଏବଂ ସେ ରୋଗ ବିଷୟରେ ସଚେତନତା ପ୍ରଚାର କରି ମହତ୍‌ କାର୍ଯ୍ୟ କରୁଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ସମାଜ ଉନ୍ନତି ପାଇଁ ଅବଦାନ ଦେଉଥିବା ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଛନ୍ତି।

Breaking News