ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦରେ ୱକଫ ସଂଶୋଧନ ବିଲ ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକାଶ କରିଛନ୍ତି। ଏହି ପଦକ୍ଷେପ ସାମାଜିକ-ଆର୍ଥିକ ନ୍ୟାୟ, ସ୍ବଚ୍ଛତା ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଦିଗରେ ସାମୂହିକ ପ୍ରୟାସ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଯେଉଁମାନେ ଦୀର୍ଘ ସମୟ ଧରି ଉପେକ୍ଷିତ ଅଛନ୍ତି ଏବଂ ମତାମତ, ସୁଯୋଗ ଉଭୟରୁ ବଞ୍ଚିତ ହୋଇଛନ୍ତି, ଏହା ବିଶେଷ ଭାବରେ ସେମାନଙ୍କୁ ସାହାଯ୍ୟ କରିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ମୋଦି କହିଛନ୍ତି, ଦଶନ୍ଧି ଧରି ୱକଫ ବ୍ୟବସ୍ଥା ସ୍ବଚ୍ଛତା ଏବଂ ଦାୟିତ୍ୱହୀନତାର ସମାନାର୍ଥକ ହୋଇଯାଇଛି, ବିଶେଷକରି ମୁସଲିମ ମହିଳା, ଗରିବ ମୁସଲିମ ଏବଂ ପାସମାଣ୍ଡା ମୁସଲିମମାନଙ୍କ ସ୍ବାର୍ଥକୁ କ୍ଷତି ପହଞ୍ଚାଉଛି। ସେ କହିଛନ୍ତି, ସଂସଦର ଉଭୟ ଗୃହରେ ୱକଫ (ସଂଶୋଧନ) ବିଲ ଗୃହୀତ ହେବା ସାମାଜିକ-ଆର୍ଥିକ ନ୍ୟାୟ, ସ୍ବଚ୍ଛତା ଏବଂ ଅନ୍ତର୍ଭୁକ୍ତ ବିକାଶ ଦିଗରେ ସାମୂହିକ ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ସଂସଦ ଦ୍ୱାରା ଗୃହୀତ ଆଇନଗୁଡ଼ିକ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବ ଏବଂ ଲୋକଙ୍କ ଅଧିକାରକୁ ମଧ୍ୟ ସୁରକ୍ଷା ଦେବ। ଆମେ ପ୍ରତ୍ୟେକ ନାଗରିକଙ୍କ ସମ୍ମାନକୁ ପ୍ରାଥମିକତା ଦେବାକୁ ପ୍ରତିବଦ୍ଧ। ଏହିପରି ଆମେ ଏକ ଶକ୍ତିଶାଳୀ, ସମୃଦ୍ଧ ଭାରତ ଗଠନ କରିପାରିବା। ସଂସଦୀୟ ଏବଂ କମିଟି ଆଲୋଚନାରେ ଅଂଶଗ୍ରହଣ କରିଥିବା, ନିଜ ନିଜର ମତାମତ ପ୍ରକାଶ କରିଥିବା ଏବଂ ଏହି ଆଇନଗୁଡ଼ିକୁ ସୁଦୃଢ଼ କରିବାରେ ଯୋଗଦାନ ଦେଇଥିବା ସମସ୍ତ ସଂସଦ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ସଂସଦୀୟ କମିଟିକୁ ମୂଲ୍ୟବାନ ପରାମର୍ଶ ପଠାଇଥିବା ଅଗଣିତ ଲୋକଙ୍କ ପ୍ରତି ମଧ୍ୟ ସେ ବିଶେଷ କୃତଜ୍ଞତା ପ୍ରକାଶ କରିଛନ୍ତି। ପୁଣି ଥରେ, ବ୍ୟାପକ ବିତର୍କ ଏବଂ ଆଲୋଚନାର ଗୁରୁତ୍ୱ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୨୪ ଲୋକ ସଭା ନିର୍ବାଚନ ପରେ ଭାଜପାର ଆସନ ସଂଖ୍ୟା ପୂର୍ବାପେକ୍ଷା ଊଣା ହୋଇଛି। କିନ୍ତୁ ଶାସକ ଦଳ ସଂସଦରେ ନିଜ ଶକ୍ତି ବଜାୟ ରଖିଛି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ସରକାର ବହୁଚର୍ଚ୍ଚିତ ତଥା ବିବାଦୀୟ ଓ୍ବକ୍ଫ (ସଂଶୋଧନ) ବିଲ୍, ୨୦୨୫କୁ ସଂସଦରେ ପାରିତ କରାଇବାରେ ସଫଳ ହେବା ଏହାକୁ ପ୍ରମାଣିତ କରିଛି। ମୁସଲମାନ ସମ୍ପ୍ରଦାୟର ଦାନ ସମ୍ପତ୍ତି ପରିଚାଳନାରେ ସଂସ୍କାର ଆଣିବା ସକାଶେ ଉଦ୍ଦିଷ୍ଟ ଏହି ବିଧେୟକ ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ଗୁରୁବାର ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି। ଉଚ୍ଚ ସଦନରେ ବିଲ୍ ସପକ୍ଷରେ ୧୨୮ ଭୋଟ ପଡ଼ିଥିବାବେଳେ ବିରୋଧୀ ଦଳଗୁଡ଼ିକର ୯୫ ସଦସ୍ୟ ଏହା ବିରୋଧରେ ମତଦାନ କରିଛନ୍ତି। ଏବେ ଚୂଡ଼ାନ୍ତ ମୋହର ପାଇଁ ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତି ବିଧେୟକରେ ସ୍ବାକ୍ଷର କରିବା ପରେ ଏହା ଆଇନରେ ପରିଣତ ହେବ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..