ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଲୋକମାନଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଆସୁଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ର ନାମ ବଦଳିଯିବ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ବିଚାରାଧୀନ ରହିଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତା’ହେଲେ ଦିଲ୍ଲୀ ସମେତ ଦେଶରେ ୨୩ଟି ଯାକ ଏମ୍ସର ନାମ ବଦଳି ଯିବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରସ୍ତାବ ଅନୁଯାୟୀ,ଏମ୍ସଗୁଡ଼ିକର ନାମ ସ୍ଥାନୀୟ ଅଞ୍ଚଳର ଖ୍ୟାତିସମ୍ପନ୍ନ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ କିମ୍ବା ଐତିହାସିକ ଘଟଣା କିମ୍ବା ସ୍ମାରକୀ ନାମରେ ନାମିତ କରାଯିବ। ୨୩ଟି ଏମ୍ସ ମଧ୍ୟରୁ ଅଧିକାଂଶ ଏମ୍ସ ନୂଆ ନାମ ସଂକ୍ରାନ୍ତ ତାଲିକା ଦାଖଲ କରିସାରିଛନ୍ତି। ଅଧିକାଂଶ ୩ରୁ ୪ଟି ଲେଖାଏଁ ନାମ ପ୍ରସ୍ତାବରେ ଦେଇଛନ୍ତି। ଏମ୍ସଗୁଡ଼ିକ ସାଧାରଣତଃ ଯେଉଁ ସହରରେ ଅବସ୍ଥିତ ସେହି ଅନୁସାରେ ନାମକରଣ ହୋଇଛି। କିନ୍ତୁ ନୂଆ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ସେଗୁଡ଼ିକ ନୂଆ ନାମ ପାଇବେ। ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀ, ପ୍ରତିଷ୍ଠାନ ଯେଉଁଠି ଅବସ୍ଥିତ ସେହି ସ୍ଥାନର ସ୍ପଷ୍ଟ ଭୌଗୋଳିକ ପରିଚୟ ଏବଂ ପ୍ରମୁଖ ଐତିହାସିକ ଘଟଣା କିମ୍ବା ସେହି ଅଞ୍ଚଳର ସ୍ମାରକୀ ସହିତ ଏମ୍ସଗୁଡ଼ିକର ନାମ ଯୋଡ଼ାଯିବ। ବିକଳ୍ପ ନାମ ସଂପର୍କରେ ଯେଉଁମାନଙ୍କ ନାଁ ପ୍ରସ୍ତାବରେ ଦିଆଯାଇଛି ସେ ସଂପର୍କରେ ବିସ୍ତୃତ ବିବରଣୀ ମଧ୍ୟ ଦାଖଲ ହୋଇଛି। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଦେଶରେ ୬ଟି ନୂଆ ଏମ୍ସ ଖୋଲାଯାଇଛି। ସେଗୁଡ଼ିକ ହେଲା ପାଟନା ଏମ୍ସ, ରାୟପୁର ଏମ୍ସ, ଭୁବନେଶ୍ବର ଏମ୍ସ, ଭୋପାଳ ଏମ୍ସ, ଯୋଧପୁର ଏମ୍ସ, ଋଷିକେଶ ଏମ୍ସ। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାର ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର ହୋଇଥିବା ଏହି ଏମ୍ସଗୁଡ଼ିକ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇଛି। ୨୦୧୫ରୁ ୨୦୨୨ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ୧୬ଟି ଏମ୍ସ ମଧ୍ୟରୁ ୧୦ଟିରେ ଏମ୍ବିବିଏସ୍ ପାଠପଢ଼ା ଏବଂ ଆଉଟ୍ପେସେଣ୍ଟ ସେବା ଆରମ୍ଭ ହୋଇଛି। ଅନ୍ୟ ଦୁଇଟିରେ କେବଳ ଏମ୍ବିବିଏସ୍ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଅନ୍ୟ ୪ଟି ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଥିବା ସୂଚନା ମିଳିଛି |






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..