ରିପୋର୍ଟ କାର୍ଡ / ଜଗତସିଂହପୁର
ସ୍ୱାମୀଙ୍କ ମୁହଁ ଉପରେ ବୟଫ୍ରେଣ୍ଡ୍କୁ ଅଧିକ ପସନ୍ଦ କରୁଛନ୍ତି ଜଣେ ମହିଳା। ଜଗତସିଂହପୁର ଥାନାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏପ୍ରକାର ହାଇଡ୍ରାମା ଚାଲିଥିଲା । ସ୍ତ୍ରୀ ପର ପୁରୁଷକୁ ଚାହାନ୍ତି ଜାଣି ମଧ୍ୟ ସଂପୃକ୍ତ ସ୍ୱାମୀ ମହିଳାଙ୍କୁ ପତ୍ନୀ ଭାବେ ଗ୍ରହଣ କରି ନେବାକୁ ଜିଦ୍ କରିଥିଲେ । ଫଳରେ ରାତି ଗୋଟାଏ ସୁଦ୍ଧା ମହିଳାଙ୍କ ବାପା, ମା’ ଥାନାରେ ପହଞ୍ଚି ନିଜ ଝିଅକୁ ବୁଝାଇ ଶୁଝାଇ ନେଇ ଯାଇଥିଲେ । ୬-୭ ବର୍ଷ ତଳୁ ପ୍ରେମ ବିବାହ କରିଥିଲେ ଏହି ଦମ୍ପତି । ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ହୋଇଥିବା ବେଳେ ଯୁବତୀଙ୍କ ପୈତୃକ ବାସସ୍ଥାନ କୁଜଙ୍ଗ ଅଞ୍ଚଳରେ। ଉଭୟ ବିବାହ ପରେ ଭୁବନେଶ୍ୱରରେ ରହୁଥିଲେ। ଏଣେ ଇଣ୍ଟରକାଷ୍ଟ୍ ବିବାହ ହୋଇଥିବାରୁ ଯୁବକଙ୍କୁ ତାଙ୍କ ଘର ଲୋକେ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ରାଜଧାନୀର ଏକ ଘରୋଇ କଲେଜରେ ବିଜ୍ଞାନ ବିଭାଗ ଅଧ୍ୟାପକ ରହିବା ସହ ଟ୍ୟୁସନ୍ କରି ପରିବାର ଚଳାଇ ନେଉଥିଲେ ଅଧ୍ୟାପକ ସ୍ୱାମୀ । ପରବର୍ତ୍ତୀ ସମୟରେ ଭଭୟଙ୍କର ଏକ ଶିଶୁ ପୁତ୍ର ଜନ୍ମ ନେଇଥିଲେ । ଏତେ ବର୍ଷର ଦାମ୍ପତ୍ୟ ଜୀବନ ଅତିକ୍ରାନ୍ତ କରିବା ସତ୍ତେ୍ୱ ମହିଳା ଜଣଙ୍କ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ । ଜଗତସିଂହପୁର ସହରର ଏକ ବିଦ୍ୟୁତ ଉପକରଣ ସୋ’ରୁମ୍ରେ କର୍ମଚାରୀ ଥିବା ଜଣେ ଯୁବକଙ୍କୁ ଗ୍ରହଣ କରିବାକୁ ମନେ ମନେ ସ୍ଥିର କରି ନେଇଥିଲେ ।ସେଥିନେଇ ସଂପୃକ୍ତା ମହିଳା ଜଗତସିଂହପୁରରେ ଚାକିରି ମିଳିଥିବା କହି ସ୍ୱାମୀଙ୍କ ପାଖରୁ ଗଲା ୫-୬ ମାସ ତଳୁ ଦୂରେଇ ରହି କୁଜଙ୍ଗ ଚାଲି ଆସିଥିଲେ । କୁଜଙ୍ଗରେ ବାପ ଘରେ ନିଜର ଶିଶୁ ପୁତ୍ରକୁ ଛାଡ଼ି ଦେଇଥିଲେ । ପରେ ଜଗତସିଂହପୁରରେ ଏହି ଯୁବକଙ୍କ ସହ ନିବିଡ଼ିତା ବଢ଼ାଇଥିଲେ । କୌଣସି କାରଣରୁ ଏନେଇ ସୁରାକ୍ ପାଇଥିଲେ ଅଧ୍ୟାପକ ସ୍ୱାମୀ । ରବିବାର ପତ୍ନୀଙ୍କୁ ନେବାକୁ ଜଗତସିଂହପୁର ଛୁଟି ଆସିଥିଲେ । ରାତି ହୋଇଥିବାରୁ ପ୍ରଶାସନ ଅଧୀନରେ ରହୁଥିବା ସର୍ଟ ଷ୍ଟେ ହୋମ୍କୁ ଯିବା ନିମନ୍ତେ ଫୋନ୍ କରିଥିଲେ । ସର୍ଟ ଷ୍ଟେ ହୋମ୍ରୁ ଫୋନ୍ କଲ୍ ପାଇ ଜଗତସିଂହପୁର ପୁଲିସ ଥାନା ଛକ ନିକଟରୁ ମହିଳାଙ୍କୁ ଉଦ୍ଧାର କରିଥିଲେ । ପଛେ ପଛେ ସ୍ୱାମୀ ମଧ୍ୟ ଥାନାକୁ ଧାଇଁଥିଲେ । ଏଠି କିନ୍ତୁ ହାଇଡ଼୍ରାମା ଆରମ୍ଭ ହୋଇ ଯାଇଥିଲା । ଗୋଟିଏ ପଟେ ପତ୍ନୀ ସାଥୀରେ ନଗଲେ ଜୀବନ ହାରି ଦେବି ବୋଲି ଅଧ୍ୟାପକ ସ୍ୱାମୀ କହୁଥିବା ବେଳେ ଆରପଟେ ବୟ ଫ୍ରେଣ୍ଡ୍ ସହ ଯିବାକୁ ଜିଦ୍ କରିଥିଲେ ମହିଳା ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……