Report Card Odisha

| Daily Odia News

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା, ହବିଷ୍ୟାଳିଙ୍କ ଆନ୍ଦୋଳନ…..

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ୧୮ ତାରିଖଠାରୁ କେବଳ ୨ଟି ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ ଅନୁମତି ରହିବ। ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ତେବେ ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାରରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ। ସିଂହଦ୍ୱାର ଦେଇ ପ୍ରସ୍ଥାନକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ଏ ବ୍ୟବସ୍ଥା ଶ୍ରୀମନ୍ଦିର ସେବକ/ସେବକ ପରିବାର ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି କୁହାଯାଇଛି। ସୂଚନାରୁ ପ୍ରକାଶ, ପୂର୍ବ ସରକାର ଗୋଟିଏ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ଦେଇଥିଲେ। ଯେଉଁଥିପାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିଲା। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ନୂଆ ସରକାର ଆସିବା ଶ୍ରୀମନ୍ଦିର ଚାରି ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦେଇଥିଲେ। ଏବେ ପୁଣି ପୂର୍ବ ସରକାର ପରି କାର୍ତ୍ତିକ ମାସର ବାହାନା କରି ଦୁଇ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଉଛନ୍ତି। ଅନ୍ୟପଟେ ୧୮ ତାରିଖରୁ ପୁରୀରେ କାର୍ତ୍ତିକ ବ୍ରତ ଆରମ୍ଭ । ଏଥିଲାଗି ପୁରୀରେ ଉଭୟ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ ଜମିଛି। ଚଳିତ ବର୍ଷ ୨୫ ଶହ ହବିଷ୍ୟାଳିଙ୍କ ରହିବା, ମହାପ୍ରସାଦ ସେବନ ଏବଂ ଶ୍ରୀମନ୍ଦିର ଦର୍ଶନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭିଡ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହାରି ମଧ୍ୟରେ ଆଜି ହବିଷ୍ୟାଳି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବୃନ୍ଦାବତୀ ନିବାସରେ ହବିଷ୍ୟାଳିମାନେ ଆନ୍ଦୋଳନ କରିଛନ୍ତି। ପଞ୍ଜୀକରଣ କରିନଥିବା ହବିଷ୍ୟାଳିମାନେ ରହିଣୀ ଦାବି କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ପରେ ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି। ଏବଂ ପ୍ରଥମେ ପଞ୍ଜିକୃତ ହବିଷ୍ୟାଳି ଏବଂ ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଦିଆଯିବ ବୋଲି ଉପଜିଲ୍ଲାପାଳ ମତ ରଖିଛନ୍ତି।

Breaking News