Report Card Odisha

| Daily Odia News

ପୁରୀ ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ବିଚ୍‌ ମାନ୍ୟତା…..

ରିପୋର୍ଟ କାର୍ଡ / ପୁରୀ

ତୃତୀୟ ବର୍ଷ ପାଇଁ ସ୍ବର୍ଣ୍ଣାଭ ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ବିଚ୍‌ ମାନ୍ୟତା ମିଳିଛି। ପର୍ଯ୍ୟଟକଙ୍କ ପାଇଁ ହିତକର ସମୁଦ୍ର ସ୍ନାନ ଉପଯୋଗୀ ବ୍ୟବସ୍ଥା ଏବଂ ଉନ୍ନତ ଭିତ୍ତିଭୂମି ଗୋଲ୍‌ଡେନ ବିଚ୍‌ ପାଇଁ ପୁଣି ଏହି ସଫଳତା ଆଣି ଦେଇଛି। ସମଗ୍ର ଦେଶରେ ସ୍ନାନ ଅନୁକୂଳ ସମୁଦ୍ର ଭାବେ ପୁରୀ ବେଳାଭୂମିକୁ ଉଦାହରଣ ଭାବେ ଉପସ୍ଥାପନ କରାଯାଇଛି। ଡେନ୍‌ମାର୍କ ଫାଉଣ୍ଡେସନ୍‌ ଫର ଏନ୍‌ଭାର୍ଣ୍ଣମେଣ୍ଟାଲ ଏଜୁକେସନ ପକ୍ଷରୁ ପୁନର୍ବାର ସ୍ବର୍ଣ୍ଣାଭ ବେଳାଭୂମିକୁ ୩୩ଟି ମାନଦଣ୍ଡ ଆଧାରରେ ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ପ୍ରଦାନ କରାଯାଇଛି। ଏଥିସହ ଆଗାମୀ ଦିନରେ ଏହା ମଧ୍ୟରେ ପରିବେଶ ଅନୁକୂଳ ଜଳକ୍ରୀଡ଼ା ଉପଲବ୍ଧ ହେବାକୁ ଯାଉଛି। ୮୭୦ ମିଟର ପରିମିତ ବେଳାଭୂମିରେ ସମୟ କ୍ରମେ ଭିତ୍ତିଭୂମିରେ ପରିବର୍ତ୍ତନ ହୋଇଛି। ପୁରୀ ବେଳାଭୂମିରେ ସମୁଦ୍ର ଜଳ ସ୍ନାନ ଉପଯୋଗୀ କି ନୁହେଁ, ଏହାର ବାରମ୍ବାର ସର୍ବେକ୍ଷଣ କରାଯାଉଛି। କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ନ୍ୟାସନାଲ୍‌ କୋଷ୍ଟାଲ୍‌ ଜୋନ ‌ମ୍ୟାନେଜମେଣ୍ଟ ପ୍ରକଳ୍ପ ଅଧୀନରେ ଆନ୍ନା ବିଶ୍ବବିଦ୍ୟାଳୟ ପକ୍ଷରୁ ସମୁଦ୍ର ଜଳ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଏହାମଧ୍ୟରେ ଥିବା ଦୁଇଟି ବ୍ୟାକ୍ଟେରିଆ ପରିମାଣ ଅନୁଧ୍ୟାନ କରାଯାଇଥିଲା। ଇ-କୋଲାଇ ଓ ଇଣ୍ଟର କୋସାଇର ପରିମାଣକୁ ଅନୁଧ୍ୟାନ ପରେ ଏଠାରେ ସମୁଦ୍ର ସ୍ନାନ ଅନୁକୂଳ ବୋଲି ରିପୋର୍ଟ ଦିଆଯାଇଛି। ବୈଜ୍ଞାନିକଙ୍କ ଦ୍ବାରା ନିକଟରେ ହୋଇଥିବା ସର୍ବେକ୍ଷଣ ମୁତାବକ, ସମୁଦ୍ର ଜଳରେ ତାପମାତ୍ରାର ପରିମାଣ ହାରାହାରି ୨୮.୯୦ ଡିଗ୍ରି ସେଲ୍‌ସିୟସ ରହୁଥିବା ବେଳେ ୧ଲିଟର ସମୁଦ୍ର ଜଳରେ ହାରାହାରି ୨୯.୫୮ ଗ୍ରାମ ଲବଣ ରହୁଥିବା ନିକଟରେ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି।

Breaking News