ରିପୋର୍ଟ କାର୍ଡ / ପୁରୀ
ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ଶ୍ରୀଜଗନ୍ନାଥଙ୍କ ଜମି ଖୋଜିବ ମନ୍ଦିର ପ୍ରଶାସନ। ଓକାକ୍ ମାଧ୍ୟମରେ ଜମିର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବ। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟର ବିଭିନ୍ନ ବିଚାର ବିଭାଗୀୟ ଓ ରାଜସ୍ବ ଅଦାଲତରେ ବିଚାରାଧୀନ ଥିବା ଜମି ମାଲିକାନା ବିବାଦ ମକଦ୍ଦମା ପରିଚାଳନା ପାଇଁ ଦକ୍ଷ ଆଇନଜୀବୀଙ୍କୁ ନିୟୋଜିତ କରାଯିବ। ଜମି ଜବରଦଖଲ ରୋକିବା ପାଇଁ ଜିଲାପାଳଙ୍କ ମାଧ୍ୟମରେ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ। କଟକ ବେଣ୍ଟକଣା-ଚାନ୍ଦୁଲି ରାସ୍ତା ନିର୍ମାଣ ପାଇଁ ୯୧୦ ଡେସିମିଲ ଜମି ବିକ୍ରି କରାଯିବ। ଏଥିପାଇଁ ସମ୍ପୃକ୍ତ ସଂସ୍ଥା ମନ୍ଦିର ପ୍ରଶାସନ ପାଖରେ ୨କୋଟି ୬୬ଲକ୍ଷ ଟଙ୍କା ଜମା କରିଛି। ଶ୍ରୀଜଗନ୍ନାଥଙ୍କ ଜମି କିଣିବା ପାଇଁ ମିଳିଥିବା ଦରଖାସ୍ତଗୁଡ଼ିକୁ ଯାଞ୍ଚ କରାଯିବ। ରାଜ୍ୟ ସରକାର ନୂଆ ୟୁନିଫର୍ମ ପଲିସି ପ୍ରସ୍ତୁତ କରୁଥିବାରୁ ତାହା ମିଳିବା ପରେ ନିର୍ଦ୍ଧାରିତ ଦରରେ ଜମି ବିକ୍ରି କରାଯିବ। ମହାପ୍ରଭୁଙ୍କ ବହୁଜମି ବେବନ୍ଦୋବସ୍ତ ଥିବାରୁ ସେଗୁଡ଼ିକୁ ତୁରନ୍ତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ସ୍ଥିତିବାନ ସ୍ବତ୍ତ୍ବ ସହ ରେକର୍ଡ କରିବାକୁ ଜିଲାପାଳଙ୍କୁ ଚିଠି ଲେଖିବା ପାଇଁ ସ୍ଥିର କରାଯାଇଛି। ଶୁକ୍ରବାର ଶ୍ରୀମନ୍ଦିର ଭୂମି ଓ ପ୍ରକଳ୍ପ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୀ ପୌରାଞ୍ଚଳର ବିଭିନ୍ନ ରାଜସ୍ବ ମୌଜାରେ ଥିବା ମହାପ୍ରଭୁଙ୍କ ମୂଲ୍ୟବାନ ଜମି ଜବରଦଖଲ ହେଉଥିବାରୁ କେତେକ ସଭ୍ୟ ଉଦ୍ବେଗ ପ୍ରକାଶ କରିଥିଲେ। ଓକାକ୍ଠାରୁ ମହାପ୍ରଭୁଙ୍କ ନାମରେ ରହିଥିବା ଜମିର ସ୍ଥିତି ସମ୍ପର୍କରେ ତଥ୍ୟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..