Report Card Odisha

| Daily Odia News

୧୧ ସୁଦ୍ଧା ନିର୍ମାଣ ସରିବ ପୁରୀ ପରିକ୍ରମା ପ୍ରକଳ୍ପ…..

ରିପୋର୍ଟ କାର୍ଡ / ପୁରୀ

ପୁରୀ ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ଚାଲିଥିବା ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚଳିତମାସ ୧୧ତାରିଖ ସୁଦ୍ଧା ଶେଷ ହେବ। ଆଉ ସୁରକ୍ଷା ଦୃଷ୍ଟିରୁ ୧୪ତାରିଖରୁ ସମ୍ପୂର୍ଣ୍ଣ ଅଂଚଳକୁ ପୁରୀ ପୋଲିସ ନିଜ ନିୟନ୍ତ୍ରଣକୁ ନେବ । ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି। କହିଛନ୍ତି ଯେ, ଚଳିତମାସ ୧୧ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ କର୍ପୋରେସନ(ଓବିସିସି) ନିର୍ଦ୍ଦେଶ ଦିଆଯାଇଛି । ଓବିସିସି କର୍ତ୍ତୃପକ୍ଷ ପ୍ରକଳ୍ପ କାର୍ଯ୍ୟକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ । ଏହାପରେ ଜାନୁୟାରୀ ୧୪ରୁ ଏସବୁ ଅଂଚଳର ସୁରକ୍ଷା ପାଇଁ ପୁରୀ ପୋଲିସ ନିଜ ନିୟନ୍ତ୍ରଣକୁ ନେବ। ପରିକ୍ରମା ପ୍ରକଳ୍ପ ୧୭ତାରିଖରେ ଲୋକାର୍ପଣ ହେବ । ଏହି ଉଦଘାଟନ ସମାରୋହରେ ସାମିଲ ହେବାକୁ ରାଜ୍ୟ ତଥା ଦେଶର ବିଭିନ୍ନ ଭାଗରୁ ଆସୁଥିବା ଶ୍ରଦ୍ଧାଳୁ, ପର୍ଯ୍ୟଟକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା କୋଠାର ଛାତ ଉପରେ ବସିବାର ବ୍ୟବସ୍ଥା ହେବ । ଜିଲ୍ଲା ପ୍ରଶାସନ ମଧ୍ୟ ଏନେଇ ବଡ଼ଦାଣ୍ଡରେ ଥିବା ବିଭିନ୍ନ ମଠ ଓ କୋଠାର ମାଲିକଙ୍କୁ ଚିଠି ଲେଖିଛନ୍ତି । ଦୁଧୱାଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ରାଧାବଲ୍ଲଭ ମଠ, ପ୍ରତିହାରୀ ନିଯୋଗ ଅଫିସ ଓ ସିଂହଦ୍ୱାର ସୂଚନା କେନ୍ଦ୍ର କୋଠାରେ ବସିବା ପାଇଁ ବ୍ୟବସ୍ଥା ହୋଇଛି |

Breaking News