Report Card Odisha

| Daily Odia News

ହଜିଲା ଶ୍ରୀମନ୍ଦିର ଚାବି…..

ରିପୋର୍ଟ କାର୍ଡ / ପୁରୀ

ହଜି ଯାଇଛି ଜୟବିଜୟ ଦ୍ବାର ଚାବି। ଏଥିଯୋଗୁଁ ମଙ୍ଗଳବାର କଟାଯାଇଛି ଶ୍ରୀମନ୍ଦିର ଜୟବିଜୟ ଦ୍ବାର ତାଲା । ପ୍ରାୟ ୫ଘଣ୍ଟା ବିଳମ୍ବରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ମଙ୍ଗଳ ଆଳତି। ଶ୍ରୀମନ୍ଦିର ଜୟବିଜୟ ଦ୍ବାର ଚାବି ହଠାତ ହଜିଯିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଦଇତାପତିମାନେ ଅଣସର ଘରେ ଦାରୁବ୍ରହ୍ମଙ୍କ ଗୁପ୍ତନୀତି ଶେଷକରି ସୋମବାର ରାତିରେ ବାହାରିଥିଲେ। ଦାୟିତ୍ବରେ ଥିବା ଜଣେ ସେବାୟତ ଜୟବିଜୟ ଦ୍ବାର ଚାବି ପକାଇଥିଲେ। ତେବେ ସକାଳୁ ଦୁଆର ଖୋଲିବା ପାଇଁ ଚାବି ଖୋଜିବା ବେଳେ ମିଳିନଥିଲା। ପ୍ରାୟ ୫ଘଣ୍ଟା ଧରି ଖୋଜାଖୋଜି ପରେ ଚାବିର ଖୋଜ ଖବର ମିଳିନଥିଲା। ଜୟବିଜୟ ଦ୍ବାର ଚାବି କେଉଁଠି ରଖିଛନ୍ତି ସେଥିନେଇ ସମ୍ପୃକ୍ତ ସେବକ ନିର୍ଦିଷ୍ଟ ଉତ୍ତର ଦେଇପାରି ନଥିଲେ। ତେଣୁ ଦିନ ୯ଟା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ବାଧ୍ୟହୋଇ ଜୟବିଜୟ ଦ୍ବାର ତାଲା କାଟିବାକୁ ପଡ଼ିଥିଲା। ଏହାପରେ ଦିନ ୯ଟା ୨୫ରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ଚାବି ହଜିବା ସମ୍ପର୍କରେ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ରାତି ୧୦ଟା ସୁଦ୍ଧା ଲିଖିତ ଅଭିଯୋଗ କରାଯାଇ ନାହିଁ।

 

Breaking News